କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ମିଳିଲା ଆଶ୍ୱସ୍ତି। ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ଆଜି ଅନ୍ତରୀଣ ଜାମିନ୍ ଆବେଦନର ଶୁଣାଣି କରି ହାଇକୋର୍ଟ ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ମାର୍ଚ୍ଚ ୪ ତାରିଖରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ମାର୍ଚ୍ଚ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । କେନ୍ଦ୍ରମନ୍ତ୍ରୀ ଟୁଡୁ ୨ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ନେଇ ବାରିପଦା ଥାନାରେ ହୋଇଥିଲା ଅଭିଯୋଗ । ଗତ ଜାନୁୟାରୀ ୨୦ ତାରିଖରେ ମୟୂରଭଞ୍ଜ ଯୋଜନା ବୋର୍ଡ ଡାଇରେକ୍ଟର ଓ ଡେପୁଟି ଡାଇରେକ୍ଟରଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରି ଲହୁ ଲୁହାଣ କରିଥିଲେ ।ଏପରିକି ଜଣକ ହାତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ଜାନୁୟାରି ୨୨ ତାରିଖରେ ବାରିପଦା ଟାଉନ ଥାନାରେ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ଅଭିଯୋଗ ହୋଇଥିଲା । ୧୬୪ ଧାରରେ ଦୁଇ ଅଭିଯୋଗକାରୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ଏହା ପରେ ପୋଲିସ ଗିରଫଦାରୀକୁ ଏଡାଇବା ପାଇଁ ମନ୍ତ୍ରୀ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ।