ଆଜି ଗଜପତି ମହାରାଜଙ୍କ ଝିଅ ବାହାଘର । ମହାରାଜ ଦିବ୍ୟସିଂହ ଦେବଙ୍କ ସାନ ଝିଅ ଦେବେଶୀ ଦେବୀଙ୍କ ବାହାଘର । ବିବାହ ପାଇଁ ଉତ୍ସବ ମୁଖର ହୋଇଉଠିଛି ପୁରୀ ରାଜନଅର | ହରିୟାନା ବର୍ଦ୍ଧମାନର ରାଜକୁମାରଙ୍କୁ ବିବାହ କରିବେ ରାଜକୁମାରୀ ଦେବେଶୀ ଦେବୀ। ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କ ରାଣୀ ସାଜିବେ ଦେବେଶୀ । ଗଜପତି ମହାରାଜଙ୍କ ଏହା ଶେଷ ପାରିବାରିକ ଉତ୍ସବ ହୋଇଥିବାରୁ ବେଶ ଧୁମଧାମରେ ହେଉଛି ବାହାଘର | ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଦେଶବିଦେଶର ରାଜ ପରିବାର ସଦସ୍ୟ । ଗତକାଲି ସନ୍ଧ୍ୟାବେଳେ ଶ୍ରୀନଅରରେ ପାଟ ମୁଦି ବା ନିର୍ବନ୍ଧ ଅନୁଷ୍ଠିତ ହୋଇଛି | ଭୁବନେଶ୍ୱରର ମେ ଫେୟାର ହୋଟେଲ୍ ରେ ଆଜି ସନ୍ଧ୍ୟା 7 ଟା ପରେ ଅନୁଷ୍ଠିତ ହେବ ବିବାହ କାର୍ଯ୍ୟ । ଗତକାଲିଠାରୁ ବରପକ୍ଷ ଆସି ପହଞ୍ଚିଛନ୍ତି ପୁରୀରେ। ବର୍ଦ୍ଧମାନ ରାଜ ପରିବାର ସହ ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟମାନେ ଗତକାଲି ସନ୍ଧ୍ୟାରେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ବିବାହ ଉପଲକ୍ଷେ ପୁରୀ ରାଜନଅର ଓ ଭୁବନେଶ୍ବର ମେ’ ଫେୟାରଠାରେ ଆୟୋଜନ କରାଯାଇଛି ବିବାହ ଭୋଜି । ତେବେ କୋଭିଡ୍ କଟକଣା ଭିତରେ ଆୟୋଜନ ହୋଇଛି ବିବାହ | ପୁରୀରେ ବରପକ୍ଷଙ୍କ ରହଣୀର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।