କୋହଳ ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କଟକଣା | ରାଜନୈତିକ ଦଳକୁ ମିଳିଲା ଆଶ୍ବସ୍ତି | ନିର୍ବାଚନ ପ୍ରଚାରରୁ ସାମାନ୍ୟ ହଟିଲା କରୋନା କଟକଣା । ୫ ଜଣ ବଦଳରେ ୨୦ ଜଣଙ୍କୁ ନେଇ ପ୍ରାର୍ଥୀ କରିପାରିବେ ଘରକୁ ଘର ପ୍ରଚାର | ସେହିଭଳି ଖୋଲା ଜାଗାରେ ୩୦୦ ଲୋକଙ୍କୁ ନେଇ ରାଜନୈତିକ ସଭା କରିପାରିବେ ପ୍ରାର୍ଥୀ । କିନ୍ତୁ ସଂପୂର୍ଣ୍ଣ କରୋନା କଟକଣା ମଧ୍ୟରେ ସଭା ଅନୁଷ୍ଠିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାସ୍କ ପରିଧାନ, ସାମାଜିକ ଦୁରତ୍ଵ ଉପରେ ଗୁରୁତ୍ଵ ଦେବାକୁ କୁହାଯାଇଛି। ତେବେ ପୂର୍ବଭଳି ମୋଟରସାଇକେଲ ରାଲି ଓ ପଦଯାତ୍ରା ଉପରେ କଟକଣା ବଳବତ୍ତର ରହିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଫେବୃଆରୀ ୧୬ ରୁ ସମଗ୍ର ରାଜ୍ୟରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ | ୫ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ୮୦ରୁ ୯୦ ପ୍ରତିଶତ ପୋଲିଂ କର୍ମଚାରୀଙ୍କୁ ପ୍ରିକସନ ଡୋଜ ଦିଆଯାଇଛି । ଆଉ ୨ ଦିନ ମଧ୍ୟରେ ଅବଶିଷ୍ଟ ପୋଲିଂ କର୍ମଚାରୀଙ୍କୁ ପ୍ରିକସନ ଡୋଜ ଦିଆଯିବ । ସେହିପରି ସମସ୍ତ ପୋଲିଂ କର୍ମଚାରୀଙ୍କ ଟ୍ରେନିଂ ସାରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ନିର୍ବାଚନ କମିଶନର ।