ସରିଲା ଶୀତ, ଆରମ୍ଭ ହେଲା ବସନ୍ତ | ବସନ୍ତର ମଳୟ ପବନ ପାଇବାକୁ ବସନ୍ତ ବଗିଚାକୁ ବୁଲି ଆସନ୍ତି ଠାକୁର ରାଧାଗୋବିନ୍ଦଜୀୟୁ | ବସନ୍ତ ପଞ୍ଚମୀରେ ଠାକୁର ଶୀତ ବସ୍ତ୍ର ଛାଡି ବସନ୍ତ ପବନ ଖାଇବାକୁ ବସନ୍ତ ବଗିଚାକୁ ଆସିବାର ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି | କେନ୍ଦ୍ରାପଡା ଜିଲ୍ଲା ବଡ କୋଠାର ଆରାଧ୍ୟଦେବତା ରାଧାଗୋବିନ୍ଦଜୀୟୁଙ୍କ ମନ୍ଦିରରେ ଏହି ନିଆରା ପରମ୍ପରା ପାଳିତ ହୋଇଯାଇଛି । ରଜା ରାଧେଶ୍ୟାମ ନରେନ୍ଦ୍ରଙ୍କ ଅମଳରୁ ଏହି ପରମ୍ପରା ପ୍ରଚଳନ ହୋଇଆସୁଛି ।
ଏହି ଅବସରରେ ଠାକୁରଙ୍କ ବିଜେ ପ୍ରତିମାକୁ ବିମାନରେ ବସାଇ ଭକ୍ତମାନେ ବସନ୍ତ ବଗିଚାକୁ ଆଣିଥିଲେ । ସେଠାରେ ଠାକୁରଙ୍କ ନିକଟରେ ନାନା ସୁସ୍ବାଦୁ ଭୋଗ ଅର୍ପଣ କରାଯାଇଥିଲା । ତେବେ ଆଉ ଗୋଟେ ବଡ ପରମ୍ପରା ହେଲା ଏହି ଦିନ ରାଧାଗୋବିନ୍ଦ ହୋରି ଖେଳନ୍ତି । ବିଭିନ୍ନ ପ୍ରକାରର ରଙ୍ଗ ଅବିର ବସନ୍ତ ବଗିଚାରେ ଠାକୁରଙ୍କ ନିକଟରେ ଲାଗି କରାଯାଇଥାଏ । ଏହି ରଙ୍ଗ ଅବିରରେ ଭକ୍ତମାନେ ମଧ୍ୟ ରଙ୍ଗୀନ ହୋଇଥାନ୍ତି । ବିଳମ୍ବିତ ରାତିରେ ଭକ୍ତଙ୍କ କାନ୍ଧରେ ଢଳିଢଳି ପ୍ରଭୁ ରାଧାଗୋବିନ୍ଦଜୀୟୁ ମନ୍ଦିର ପ୍ରତ୍ୟାବର୍ତ୍ତନ କରଛନ୍ତି ।