ରେଳ ବଜେଟରେ ଓଡ଼ିଶାକୁ ମିଳିଛି ରେକର୍ଡ ଅନୁଦାନ | ପୂର୍ବ ବଜେଟ୍ ଅପେକ୍ଷା ଏହା ସବୁଠାରୁ ଅଧିକ | ୟୁପିଏ ସରକାର ତୁଳନାରେ ଓଡ଼ିଶାକୁ ୧୦ଗୁଣ ଅଧିକ ଅନୁଦାନ ମିଳିଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ | ବଜେଟ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଓଡିଶା ରେଳ ବିକାଶ ପାଇଁ ମୋଦି ସରକାର 9734 କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଏଣିକି ଆଉ ପାଣ୍ଠିର ଅଭାବ ଦେଖାଯିବନି | କାରଣ ପ୍ରଧାନମନ୍ତ୍ରୀ ମୋଦି ରେକର୍ଡ ସଂଖ୍ୟକ ଅନୁଦାନ ଦେଇଛନ୍ତି ଓଡିଶାକୁ । ତେବେ ଜମି ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, 2019-20 ରେ ଓଡିଶାକୁ ରେଳ ଅନୁଦାନ ବାବଦରେ 4568 କୋଟି ମିଳିଥିଲା । 2020-21ରେ ରେଳ ଅନୁଦାନ 5240 କୋଟି ମିଳିଥିଲା । 2021-22 ରେ ପ୍ରଥମେ 5921 କୋଟି, ପରେ 500 କୋଟି ବଢ଼ାଯାଇଥିଲା । 2021-22 ରେ 6471 କୋଟି ଅନୁଦାନ ମିଳିଥିଲା । 2022-23ରେ ଓଡ଼ିଶାକୁ ସର୍ବାଧିକ 9734 କୋଟି ଟଙ୍କା ମିଳିଛି ।