ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ । କୋଭିଡ କଟକଣା ମଧ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବଜେଟ ଅଧିବେଶନ । ଫେବୃଆରୀ ୧୧ ଯାଏଁ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକକୁ ସମ୍ବୋଧନ କରିଛନ୍ତି । ପ୍ରତିବର୍ଷ ବଜେଟ ଉପସ୍ଥାପନ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଏ ସେହିପରି ଆଜି ପ୍ରଥମେ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ । ସର୍ଭେ ରିପୋର୍ଟରେ ଆର୍ଥିକ ସ୍ଥିତି, ଆହ୍ବାନ ଓ ତାର ମୁକାବିଲା ସମ୍ପର୍କରେ ପ୍ରସ୍ତାବ ରହିଥାଏ ।
ଫେବ୍ରୃଆରୀ ୧ତାରିଖରେ ପୂର୍ବାହ୍ନ ୧୧ଟାରେ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥର ବଜେଟ କାଗଜବିହୀନ ହୋଇଛି । ପାରମ୍ପରିକ ବହି ଖାତା ବଦଳରେ ଏକ ଟ୍ୟାବଲେଟ ଧରି ଗୃହକୁ ଆସିବେ ଅର୍ଥମନ୍ତ୍ରୀ । ବଜେଟ ଅଧବେଶନକୁ ସୁରୁଖୁରୁରେ ଚଳାଇବାକୁ ରବିବାର ଅପରାହ୍ନ ୩ଟାରେ ସର୍ବଦଳୀୟ ବୈଠକ ଡାକିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଏଥିରେ ଉଭୟ ଗୃହର ବିଭିନ୍ନ ଦଳର ନେତାମାନେ ଯୋଗ ଦେଇଥିଲେ । ଗୃହ କାର୍ଯ୍ୟରେ ସହଯୋଗ ଲାଗି ବୈଠକରେ ବଚସ୍ପତି ସବୁ ଦଳର ସହଯୋଗ ଲୋଡିଛନ୍ତି । ସେହିପରି ରାଜ୍ୟସଭା ଅଧକ୍ଷ୍ୟ ଆଜି ଅପରାହ୍ନ ୫ଟାରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଆଭାସି ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟସଭା ଅଧିବେଶନ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ଯାଏଁ ଚାଲିବ ଓ ଲୋକସଭା ଅଧିବେଶନ ଅପରାହ୍ନ ୪ଟାରୁ ରାତି ୯ଟା ଯାଏ ବସିବ । ଜାନୁଆରୀ ୨୭ରେ ଲୋକସଭା ପକ୍ଷରୁ ଡିଜିଟାଲ ସଂସଦ ଆପର ନୂଆ ଭର୍ସନ ଶୁଭାରମ୍ଭ ହୋଇଛି । ଏହି ଆପ ଜରିଆରେ ସଂସଦର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସଭିଏଁ ଜାଣିପାରିବେ । ତେବେ ଚଳିତ ବଜେଟ ଅଧିବେଶନରେ କୃଷି କ୍ଷେତ୍ର ପାଇଁ ସ୍ବତନ୍ତ୍ର ଆବଣ୍ଟନ ଓ ସବସିଡି ପ୍ରଦାନ ଭଳି ବଡ ଘୋଷଣା ହୋଇପାରେ । ସେପଟେ ମୋଦି ସରକାରଙ୍କୁ ଘେରିବାକୁ କୌଣସି ସୁଯୋଗକୁ ହାତଛଡା କରିବାକୁ ଚାହିଁ ନାହାନ୍ତି ବିରୋଧୀ । କଂଗ୍ରେସ ସମେତ ବିରୋଧୀ ଦଳ ପେଗାସସ ସ୍ପାଏୱେର, ଚାଇନା ଓ ଚାଷୀଙ୍କ ଦୁର୍ଦ୍ଦଶାକୁ ପ୍ରସଙ୍ଗକୁ ଅସ୍ତ୍ର କରିବାକୁ ପ୍ରସ୍ତୁତ । ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ସରକାର ମଧ୍ୟ ରଣନୀତି ପ୍ରସ୍ତୁତ କରିଛନ୍ତି । ଚଳିତ ଅଧିବେଶନରେ ୧୦ଟି କାର୍ଯ୍ୟ ଦିବସ ରହିଛି । ଏକ ମାସରେ ବିରତି ପରେ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ଯାଏଁ ଚାଲିବ । ଏହି ପର୍ଯ୍ୟାୟରେ ୧୯ଟି କାର୍ଯ୍ୟ ଦିବସ ରହିଛି ।