ପୁଣି ବେନି ନୟନରେ ରତ୍ନସିଂହାସନରେ ବିଜେ ବଡଠାକୁରଙ୍କୁ ଦର୍ଶନ କରିବେ ଭକ୍ତ । ହଟିବ ମହାପ୍ରଭୁଙ୍କୁ ଭକ୍ତ ପାଇଁ ଦର୍ଶନ କଟକଣା । ଫେବୃଆରୀରୁ ପହିଲାରୁ ସ୍ବାଭାବିକ ହେବ ଜଗା ଦର୍ଶନ । ଏନେଇ ଆଜି ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ନେଇ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ମିଳିଥିବା ସୂଚନା ମୁତାବକ ପୂର୍ବଭଳି ରବିବାର ଜଗାଦର୍ଶନ ବନ୍ଦ ରହିବ । ସପ୍ତାହର ୬ ଦିନ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ପାଇବେ । ଅନ୍ୟପଟେ ପୂର୍ବଭଳି ପୁରୀ ଜିଲ୍ଲାବାସୀ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ । ପୁରୀ ଜିଲ୍ଲା ବ୍ୟତୀତ ଅନ୍ୟ ଅଞ୍ଚଳର ଭକ୍ତ କୋଭିଡ୍ କଟକଣା ସହ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ । ପୂର୍ବଭଳି ମନ୍ଦିରରେ ପ୍ରବେଶ କରିବାକୁ ହେଲେ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ହେବ ବୋଲି କୁହାଯାଇଛି । ଅପରାହ୍ନ ୪ଟା ୩୦ରେ ଭିଡିଓ କନଫରେନସିଙ୍ଗ ଜରିଆରେ ଅନୁଷ୍ଠିତ ହୋଇଥିଲା ବୈଠକ । ବୈଠକରେ ଛତିଶା ନିଯୋଗ ନାୟକଙ୍କ ସହ ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିରର ବିଭିନ୍ନ ନିଯୋଗର ସଭାପତି, ସଂପାଦକ, ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ ।
ସୂଚନା ଥାଉକି, କୋଭିଡ ସଂକ୍ରମଣ ବ୍ୟାପିବାରୁ ୨୦୨୨ ଜାନୁଆରୀ ୧୦ରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ ଜାନୁଆରି ୩୧ ପର୍ଯ୍ୟନ୍ତ ରୋକ୍ ଲାଗିଛି । ଏହି କଟକଣା ଅବଧି ଜାନୁଆରୀ 31ରେ ସରୁଥିବାରୁ ଫେବ୍ରୁଆରୀ ପାଇଁ ନୂଆ ମାର୍ଗଦର୍ଶିକା ତଥା SOP ଆସିବ । ପ୍ରଶାସନ ଗତକାଲି(ଗୁରୁବାର) ସ୍ବର୍ଗଦ୍ବାରରୁ କଟକଣା ହଟାଇଦେଇଛି । ଆଜିଠାରୁ ବାହାର ଜିଲ୍ଲାର ଅଣକୋଭିଡ ମୃତଦେହ ସ୍ବର୍ଗଦ୍ବାରରେ ଦାହ ହୋଇପାରିବ । ଏହା ସହ ମହୋଦଧିରେ ଚିତା ଭସ୍ମ ବିସର୍ଜନ ନେଇ ନିଷେଧାଦେଶକୁ ପ୍ରତ୍ୟାହାର କରି ନେଇଛି ପ୍ରଶାସନ ।