ଆମ ପାଠ୍ୟକ୍ରମ ସରିନି | ଅନଲାଇନ ଯୋଗେ ପାଠପଢ଼ା ସୂଚାରୁ ରୂପେ ହୋଇପାରି ନାହିଁ | ଅନେକ ସ୍ଥାନରେ ନେଟୱର୍କ ନଥିବାରୁ ଆଦୌ ପାଠପଢା ହୋଇନାହିଁ | ସେଥିପାଇଁ ଆମେ ଯୁକ୍ତ 2 ପରୀକ୍ଷା ପାଇଁ ସମ୍ପୂର୍ଣ ଭାବେ ପ୍ରସ୍ତୁତ ହୋଇନାହୁଁ | ତେଣୁ ପରୀକ୍ଷା ଦେଇପାରିବୁନି ବୋଲି ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଧର୍ମଘଟ କରିଛନ୍ତି | ଗଣଶିକ୍ଷା ମନ୍ତ୍ରୀଙ୍କ +୨ଫାଇନାଲ ପରୀକ୍ଷା ହେବ ବୋଲି ଘୋଷଣାକୁ ନେଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀ ମାନେ କଲେଜ ଫାଟକ ଆଗରେ ଧାରଣା ଦେବା ସହ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ ଏବଂ କେନ୍ଦୁଝର ଜିଲ୍ଲାରେ ।
ଯୁକ୍ତ ଦୁଇ ଫାଇନାଲ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ହୁଅନ୍ତୁ ବୋଲି ଦୁଇଦିନ ତଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କରିବା ପରେ ଏହାକୁ ନେଇ ଦେଖିବାକୁ ମିଳିଛି ଛାତ୍ର ଅସନ୍ତୋଷ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲସ୍ଥିତ ଆଦିକବି ସାରଳା ଦାସ କଲେଜ ସମ୍ମୁଖରେ ଅଲ ଓଡିଶା ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଲେଜରେ ପାଠ ପଢା ହୋଇନଥିବା ବେଳେ ଅଳ୍ପ କେଇଦିନ ପାଠପଢା ଭିତରେ କ୍ୱାଟର ଏଣ୍ଡ ପରିକ୍ଷା କରାଯାଇ ଛାତ୍ରଛାତ୍ରୀଙ୍କ ସମୟ ନଷ୍ଟ କରାଗଲା।ଅନଲାଇନରେ ଠିକ୍ ଭାବେ ପାଠପଢି ହୋଇନଥିବା ବେଳେ ଦ୍ୱିତୀୟ ବର୍ଷରେ ବର୍ଷକର ପାଠକୁ ଦୁଇମାସରେ ପଢି କିପରି ପରିକ୍ଷା ଦେବୁ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ ଉଠାଇଛନ୍ତି।ପରୀକ୍ଷା ବାତିଲ କରି କ୍ୱାର୍ଟର ଏଣ୍ଡ ପରୀକ୍ଷାକୁ ଆଧାର କରି ମାର୍କ ଦିଆଯାଉ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି। ଛାତ୍ରଛାତ୍ରୀମାନେ ଗଣଶିକ୍ଷା ମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ସହ କିଛି ସମୟ ପାଇଁ କଟକ-ପାରାଦ୍ୱୀପ ରାସ୍ତା ଅବରୋଧ କରି ପରୀକ୍ଷା ବାତିଲ ଦାବି କରି ହୋହାଲ୍ଲା କରିଥିଲେ। ପରୀକ୍ଷା ବାତିଲ ଦାବିରେ ତିର୍ତ୍ତୋଲସ୍ଥିତ ଆଦିକବି ସାରଳା ଦାସ କଲେଜ, ରାହାମାସ୍ଥିତ ଶାରଳା ମହାବିଦ୍ୟାଳୟ ଓ କନିମୂଳସ୍ଥିତ ବାୟା ଅବଧୂତ କଲେଜର ଶତାଧିକ ଛାତ୍ରଛାତ୍ରୀ ତିର୍ତ୍ତୋଲ କଲେଜ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀ ଆଦିକବି ସାରଳାଦାସ କଲେଜ ଅଧ୍ୟକ୍ଷ ଅଧ୍ୟାପକ କ୍ୟାପଟେନ ଜ୍ଞାନ କୁମାର ସାମନ୍ତରାୟଙ୍କ ଜରିଆରେ ଏକ ଦାବିପତ୍ର ସରକାରଙ୍କୁ ଦେଇଥିଲେ।ତିର୍ତ୍ତୋଲ କଲେଜ ଅଧ୍ୟକ୍ଷ ଓ ଅନ୍ୟ ଅଧ୍ୟାପକ ମାନେ ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରି ସରକାରଙ୍କୁ ଏ ବିଷୟରେ ଅବଗତ କରାଯିବାର ପ୍ରତିଶୃତି ଦେବା ପରେ ଛାତ୍ର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସେହିଭଳି କେନ୍ଦୁଝରରେ ମଧ୍ୟ ଦେଖିବାକୁ ମିଳିଛି ଛାତ୍ର ଅସନ୍ତୋଷ | ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସରେ ଏକାଠି ହୋଇଥିଲେ | ପରେ ଏ ନେଇ ଏକ ଦାବିପତ୍ର ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ l