ବାରମ୍ବାର ଦାବି ସତ୍ୱେ ମିଳୁନି ଜାତିଗତ ପ୍ରମାଣପତ୍ର | ମାଟିଆ ସମ୍ପ୍ରଦାୟର କିଛି ଲୋକ ପୂର୍ବରୁ ଜାତିଗତ ପ୍ରମାଣପତ୍ର ପାଇଥିଲେ ମଧ୍ୟ ବର୍ତ୍ତମାନ ତହସିଲଦାର ଆଉ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରିବାକୁ ମନା କରିଦେଉଛନ୍ତି | ସରକାରଙ୍କ ପକ୍ଷରୁ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାନଗଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ମାଟିଆ ସମ୍ପ୍ରଦାୟର ଲୋକେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଜଗତସିଂହପୁର ତହସିଲ ଅନ୍ତର୍ଗତ ଓଡିଶୋ ପଂଚାୟତର ୧୧ ନମ୍ବର ୱାର୍ଡରେ ବହୁ ବର୍ଷ ଧରି ୩୦ଟି ମାଟିଆ ଅନୁସୂଚିତ ଜନଜାତି ଆଦିବାସୀ ପରିବାରର ୨୦୦ ଶହରୁ ଉର୍ଦ୍ଧ୍ବ ଲୋକ ବସତି ସ୍ଥାପନ କରି ଆସୁଛନ୍ତି | ପୂର୍ବରୁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଘର ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଛି | ଏପରିକି କିଛି ଲୋକ ଜାତିଗତ ପ୍ରମାଣପତ୍ର ମଧ୍ୟ ପାଇଛନ୍ତି | କିନ୍ତୁ ବର୍ତ୍ତମାନ ତହସିଲଦାର ମାଟିଆ ସମ୍ପ୍ରଦାୟର ଲୋକଙ୍କୁ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରିବାକୁ ମନା କରିଦେଉଥିବା ଜଣାପଡିଛି | ଫଳରେ ଏହି ମାଟିଆ ସମ୍ପ୍ରଦାୟ ଲୋକେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବା ସହ ସେମାନଙ୍କର ପିଲାମାନଙ୍କର ଉଚ୍ଚ ଶିକ୍ଷା ଆଦିରେ ସମସ୍ୟା ଉପୁଜିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ ସମ୍ଭିଧାନ ଧାରା ୩୦୨ ଓ ପ୍ରେସିଡେଣ୍ଟସି ଆର ରୁଲ ୧୯୫୦ ଅନୁଯାୟୀ ଅନୁସୂଚିତ ଜନଜାତି (ମାଟିଆ ) ଆଦିବାସୀ ସଂପ୍ରଦIୟ ବୋଲି ତାଙ୍କ ଜମି ପଟ୍ଟାରେ ମଧ୍ୟ ଉଲେଖ ରହିଛି ଏବଂ ଜମି ପାସ ବୁକରେରେ ମଧ୍ୟ ମାଟିଆ ( ଆଦିବାସୀ) ବୋଲି ଉଲେଖ ଅଛି | ତେଣୁ ସେମାନଙ୍କୁ ଜାତି ପ୍ରମାଣ ପତ୍ର ମିଳିବାରେ ଅସୁବିଧା କେଉଁଠି ରହିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ଜଗତସିଂହପୁର ତହସିଲଦାର ସେମାନଙ୍କ ଜମିପଟା ଦେଖି ଜାତିଗତ ପ୍ରମାଣପତ୍ର ପ୍ରଦାନ କରିଥିବା ବେଳେ ଏହି ପ୍ରମାଣ ପତ୍ର ଦ୍ୱାରା ସେହି ବସ୍ତିର କିଛି ଲୋକ ପାଠପଢି ଚାକିରି ବାକିରି କରିଛନ୍ତି ଓ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପାଇଛନ୍ତି | କିନ୍ତୁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାଙ୍କୁ ଜାତି ପ୍ରମାଣପତ୍ର ମିଳୁ ନଥିବାରୁ ସେମାନଙ୍କ ପିଲାମାନଙ୍କର ପାଠପଢା ଷ୍ଟାଇପେଣ୍ଡ , ଚାକିରୀ, ଉଚ୍ଚଶିକ୍ଷା ଆଦିରେ ବହୁ ଅସୁବିଧା ସୃଷ୍ଟି ହେଉଛି । ଖାଲି ଏହି ଗ୍ରାମରେ ନୁହଁ ଜ଼ିଲ୍ଲାରେ ବିଭିନ୍ନ ସ୍ଥାନରେ ଯଥା ଚର୍ଚିକା ବଜ଼ାର,ଦେଭୋଗ, ରସଲପୁର, ପୁନଙ୍ଗ ଆଦି ଗ୍ରାମରେ ଥିବା ଏହି ଆଦିବାସୀମାନେ ଏହି ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି | ବର୍ତମାନ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଜ଼ିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟ , ୱାର୍ଡ ମେମ୍ବର ଆଦି ଗୁରୁତ୍ୱପୂର୍ଣ ପଦବୀ ଏମାନଙ୍କ ପାଇଁ ସଂରକ୍ଷଣ ରହୁଥିବା ବେଳେ ଏହି ସମ୍ପ୍ରଦାୟକୁ ଜାତିଗତ ପ୍ରମାଣପତ୍ର ଦେବାକୁ ଜ଼ିଲ୍ଲା ପ୍ରଶାସନ ନାରାଜ | ତେଣୁ ସେମାନେ ଗୁରୁତ୍ୱପୂର୍ଣ ପଦ ପଦବୀରେ ନିର୍ବାଚନ ଲଢ଼ି ପାରୁନାହାନ୍ତି ବୋଲି ମାଟିଆ ସମ୍ପ୍ରଦାୟ ପକ୍ଷରୁ ଅଭିଯୋଗ ହୋଇଛି | ଏ ନେଇ ସେମାନେ ଜିଲ୍ଲା ଦଳିତ ବିକାଶ ପରିଷଦ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, 5ଟି ସଚିବ, ଜିଲ୍ଲାପାଳ ଆଦି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ଫଳ ମିଳିପାରିନାହିଁ | ଯାହାଦ୍ୱାରା ସେମାନେ ଆସନ୍ତା ୨୭ ତାରିଖ ଗୁରୁବାର ଦିନ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିବେ ବୋଲି କହିଛନ୍ତି | ଏହାପରେ ଯଦି ପ୍ରଶାସନ ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ନ ଦିଏ ତେବେ ଆଗାମୀ ନିର୍ବାଚନରେ ସେମାନେ ଭୋଟ ବର୍ଜନ କରିବା ସହ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ।