ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସହ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯଇଛି | ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ, ସିପିଆଇଏମ ସମେତ ଅନ୍ୟ ସମସ୍ତ ଦଳ କୋଭିଡ କଟକଣା ଓ ଆଦର୍ଶ ଆଚରଣ ବିଧି ଉପରେ ଆଲୋଚନା କରିଥିଲେ। ବୈଠକରେ ନିର୍ବାଚନ ପ୍ରଚାର ଓ ଖର୍ଚ୍ଚ ସମ୍ପର୍କରେ ପର୍ଯ୍ୟବେକ୍ଷକ ଡ଼. ଉଦ୍ଧବ ଚନ୍ଦ୍ର ମାଝୀଙ୍କ ସହ ଆଲୋଚନା କରାଯାଇଥିଲା | ତେବେ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡି ଦଳ ପକ୍ଷରୁ ଆଚରଣ ବିଧି ଉଲ୍ଲଙ୍ଘନ ଓ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରିବା ନେଇ ସିପିଆଇଏମ ଜିଲ୍ଲା ସମ୍ପାଦକ ଗୟାଧର ଧଳ ଅଭିଯୋଗ କରିଥିଲେ | ଏନେଇ ବୈଠକରେ ଶାସକ ଦଳ ବିରୋଧରେ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ। ଏବେଠୁ ନିର୍ବାଚନୀ କଟକଣା ଜୋରଦାର କରାଯିବ ବୋଲି ପର୍ଯ୍ୟବେକ୍ଷକ ପ୍ରତିଶୃତି ଦେଇଛନ୍ତି। ଅନ୍ୟପଟେ ସିସିଟିଭି ଆଧାରରେ ନାମାଙ୍କନ ପତ୍ର ଦାଖଲ ସମୟରେ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ପ୍ରାର୍ଥିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପର୍ଯ୍ୟବେକ୍ଷକ କହିଛନ୍ତି । ଅନ୍ୟପଟେ ଭୋଟର ତାଲିକାରୁ ନାଁ କଟିବାକୁ ନେଇ ଅଭିଯୋଗକୁ ଜିଲ୍ଲାପାଳ ଖଣ୍ଡନ କରି ଆଚରଣ ବିଧି ଲାଗୁ ହେବା ବହୁ ପୁର୍ବରୁ ସମସ୍ତ ଜନସାଧାରଣଙ୍କ ଅବଗତି ପାଇଁ ଭୋଟର ତାଲିକା ବୁଥ ସ୍ତରରେ କରାଯାଇ ଏହାକୁ ନିର୍ଭୁଲ କରାଯାଇଥିବା ଓ ଚଳିତ ପଞ୍ଚାୟତ ନିର୍ବାଚନରେ ଏବେ ଜାରି କରାଯାଇଥିବା ଭୋଟର ତାଲିକା ଅନୁସାରେ ସମ୍ପାଦନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ।