ସମଗ୍ର ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ତାଣ୍ଡବ ରଚି ଥିବାବେଳେ ପୁଣି ଏକ ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଛି | ଏହି ନୂଆ ଭାଇରସର ନାମ BA-2 ରଖାଯାଇଛି | ଓମିକ୍ରନ୍ର ଏହି ସବ୍-ଭାରିଆଣ୍ଟ BA-2 ମଧ୍ୟପ୍ରଦେଶର ଇନ୍ଦୋରରେ ପ୍ରବେଶ କରିସାରିଛି | ସହରରେ 16 ଜଣ ଓମିକ୍ରନର ଏହି ନୂତନ ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି | ଆକ୍ରାନ୍ତଙ୍କ ମଧ୍ୟରୁ 6 ଜଣ ଶିଶୁ ଅଛନ୍ତି | ଏଥିସହିତ ଏହି ନୂଆ ଷ୍ଟ୍ରେନ୍ ର ପରୀକ୍ଷା ପାଇଁ ସମଗ୍ର ଦେଶରୁ 530 ନମୁନା ପଠାଯାଇଛି | ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଡେନମାର୍କରେ ମଧ୍ୟ ଏହି ମାମଲା ସାମ୍ନାକୁ ଆସିଛି | ଏହି ନୂଆ ଷ୍ଟ୍ରେନ୍ ଓମିକ୍ରନ୍ ପରି ଦ୍ରୁତ ଗତିରେ ସଂକ୍ରମଣ କରୁଛି | ଏପରି ପରିସ୍ଥିତିରେ ଯଦି ଏହା ଜଲ୍ଦି ଚିହ୍ନଟ ନହୁଏ, ତେବେ ଏହାର ସଂକ୍ରମଣ ରୋକିବା ମୁସ୍କିଲ ହୋଇପଡିବ ବୋଲି ବୈଜ୍ଞାନିକମାନେ କହିଛନ୍ତି | ସବୁଠାରୁ ଚିନ୍ତାର ବିଷୟ ହେଉଛି ଟେଷ୍ଟ କିଟ୍ ମାଧ୍ୟମରେ ଏହାର ଉପସ୍ଥିତି ଜଣାପଡ଼ୁନାହିଁ | ସେଥିପାଇଁ ଏହାକୁ ‘ଷ୍ଟେଲଥ’ ଅର୍ଥାତ୍ ଗୁପ୍ତ ଭାରିଆଣ୍ଟ କୁହାଯାଉଛି | ଏହି ନୂଆ ଷ୍ଟ୍ରେନ୍ ର ପ୍ରଥମ ମାମଲା କେଉଁଠୁ ମିଳିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ବ୍ରିଟିଶ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ଅନୁଯାୟୀ, 6 ଡିସେମ୍ବର 2021 ରେ ବ୍ରିଟେନରେ ‘ଷ୍ଟେଲଥ’ ଭାରିଆଣ୍ଟ ପ୍ରଥମେ ଚିହ୍ନଟ ହୋଇଥିଲା | ସେଠାରେ ଏହାର 426 ଟି ମାମଲା ଚିହ୍ନଟ ହୋଇଛି। ଏହା ଅନ୍ୟ ଭାରିଆଣ୍ଟ ତୁଳନାରେ ଶୀଘ୍ର ବ୍ୟାପିଥାଏ ଏ | ଏହାକୁ ବ୍ରିଟେନର ଅଣ୍ଡର ଇନଭେଷ୍ଟିଗେସନ୍ ବର୍ଗରେ ରଖାଯାଇଛି | କରୋନାର ନୂଆ ଭାରିଆଣ୍ଟ BA-2 ର ଲକ୍ଷଣଗୁଡ଼ିକ ଓମିକ୍ରନ୍ ସହିତ ସମାନ | କରୋନାର ସମସ୍ତ ପ୍ରକାର ଭାରିଆଣ୍ଟ ଉପରେ ଗବେଷଣା କରୁଥିବା ଜେନେଭା ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଫ୍ଲାହଲ୍ଟ କହିଛନ୍ତି ଯେ, ଏହାର ନାମ ଶୁଣି ଭୟଭୀତ ହୁଅ ନାହିଁ, କିନ୍ତୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ | ନୂଆ ଭାରିଆଣ୍ଟ BA-2 ଓମିକ୍ରନ୍ ପରି ସଂକ୍ରାମକ ଅଟେ | ତେବେ ଏହା କେତେ ବିପଜ୍ଜନକ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।