ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ନାମାଙ୍କନ ପତ୍ର ଦାଖଲ | ଆଜି ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ତେବେ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ନେତାମାନଙ୍କୁ ନିର୍ବାଚନୀ ବୈତରଣୀ ପାର ହେବାର ଗୁରୁମନ୍ତ୍ର ଦେଇଛନ୍ତି। ବିଜେଡି ସୁପ୍ରିମୋ ଆଜି ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଳର ମନ୍ତ୍ରୀ, ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କୁ ସମ୍ବୋଧନ କରି ବିରୋଧୀଙ୍କ ମିଛ ପ୍ରଚାରର ଜବାବ ଦିଅ । ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କହିଥିଲେ । ବିରୋଧୀ ଦଳ ପାଖରେ ବିଜେଡି ବିରୋଧରେ ଲଢ଼େଇ କରିବାକୁ କୌଣସି ପ୍ରସଙ୍ଗ ନାହିଁ। ତେଣୁ ବିରୋଧୀ ଦଳଗୁଡ଼ିକର ମିଛ ଅପପ୍ରଚାରକୁ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳ କାର୍ଯ୍ୟକ୍ରମ ମାଧ୍ୟମରେ ଜବାବ ଦେବାକୁ ସେ ଦଳୀୟ ନେତାମାନଙ୍କୁ କହିଛନ୍ତି। ଏନେଇ ସୂଚନା ଦେଇଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ।
ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ପାଖେଇ ଆସୁଥିବାବେଳେ ସକ୍ରିୟ ହୋଇଛନ୍ତି ରାଜ୍ୟର ସମସ୍ତ ପ୍ରମୁଖ ରାଜନୈତିକ ଦଳ । କିଏ କେମିତି ଏବଂ କେଉଁ ପ୍ରସଙ୍ଗକୁ ନେଇ ଜନତା ଜନାର୍ଦ୍ଦନଙ୍କ ମନଜିଣିବ ଏନେଇ ଦଳୀୟ ନେତାମାନେ ରଣନୀତି ଆରମ୍ଭ କରିଦେଇଛନ୍ତି । ବିଶେଷକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଗ୍ରାମାଂଚଳ ଗୃହ ନିର୍ମାଣ ଯୋଜନା, ଚାଷୀଙ୍କ ପାଇଁ କାଳିଆ ଓ ଅନ୍ୟାନ୍ୟ ସବସିଡି ଯୋଜନା ଆଦି ସମ୍ପର୍କରେ ରାଜ୍ୟ ସରକାର ଯେଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଓ ତାହା ସାଧାରଣ ଲୋକଙ୍କ ପାଇଁ କେତେ ଫଳପ୍ରଦ ହୋଇଛି, ସେସବୁ ନିର୍ବାଚନ ପ୍ରଚାରବେଳେ ଜଣାଇବାକୁ ପରାମର୍ଶ ଦେଇଛନ୍ତି ।
ଏହାସହିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାରବେଳେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେବାକୁ ମଧ୍ୟ ନେତାମାନଙ୍କୁ ନବୀନ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଏବେ କୋଭିଡ୍ ମହାମାରୀର ତୃତୀୟ ଲହର ଚାଲିଛି। ଆପଣଙ୍କ ଜୀବନ ବି ମୂଲ୍ୟବାନ, ତେଣୁ ନିର୍ବାଚନ ପ୍ରଚାର ବେଳେ କୋଭିଡ୍ ନିୟମ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ।