ଆଜି ଜାନୁଆରୀ 23ତାରିଖ, 125ତମ ନେତାଜୀ ଜୟନ୍ତୀ। ଜାତୀୟ ମୁକ୍ତି ସଂଗ୍ରାମର ମହାନାୟକ, ମହାନ ସ୍ୱାଧିନତା ସଂଗ୍ରାମୀ ତଥା ଭାରତ ମାତାର ସୁଯୋଗ୍ୟ ସନ୍ତାନ ସୁଭାଷ ବୋଷଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଉଛି ସାରା ଭାରତ ବର୍ଷ।
୧୮୯୭ ମସିହା ଆଜିର ଦିନରେ ଓଡିଶାର ପୁରାତନ ରାଜଧାନୀ କଟକର ଓଡିଆ ବଜାର ସ୍ଥିତ ଜାନକୀ ଭବନରେ ଜନ୍ମ ଗ୍ରହଣ କରିଥିଲେ ନେତାଜୀ ସୁଭାଷ ବୋଷ। ଓଡିଶା ମାଟିର ଏହି ସୁପୁତ୍ର ଦିନେ ଭାରତୀୟ ସ୍ୱାଧିନତା ସଂଗ୍ରମାର ନେତୃତ୍ୱ ନେବା ସହିତ ଦେଶବାସୀଙ୍କୁ ଦେଖାଇଥିଲେ ବ୍ରିଟିଶ ଶାସନରୁ ମୁକ୍ତ ହେବାର ନୁଆ ଦିଗଦର୍ଶନ। ଯାହା ପାଇଁ ଆଜି ସାରା ଓଡିଆ ଜାତି ଗର୍ବିତ। ଦେଶର ଏହି ମହାନ ସ୍ୱାଧିନତା ସଂଗ୍ରାମୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି ସ୍ୱତନ୍ତ୍ର ସ୍ଥାନ ଆଉ ଶ୍ରେଷ୍ଠ ସମ୍ମାନ। ଦେଶ ପାଇଁ ତାଙ୍କ ତ୍ୟାଗ ଆଉ ବଳିଦାନକୁ କୃତଜ୍ଞତା ଜଣାଇ ସାରା ଦେଶରେ ଗୁଞ୍ଜରିତ ହେଉଛି ନେତାଜୀ ସୁବାଷ ବୋଷଙ୍କ ଗୁଣଗାନ।
ତେବେ 125ତମ ନେତାଜୀ ଜୟନ୍ତୀ ଅବସରରେ ଦେଶର ରାଜଧାନୀ ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ ଠାରେ ପ୍ରତିଷ୍ଠା ହେବାକୁ ଯାଉଛି ସୁବାଷ ବୋଷଙ୍କ 25ଫୁଟ ଉଚ୍ଚର ବିଶାଳ ପ୍ରତିମୂର୍ତ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପ୍ରତିମୂର୍ତ୍ତିକୁ ଚଳିତ ବର୍ଷ ଅଗଷ୍ଟ 15ସୁଦ୍ଧା ଏଠାରେ ପ୍ରତିଷ୍ଠା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ମୂର୍ତ୍ତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏଠାରେ ଶୋଭା ପାଇବ ନେତାଜୀଙ୍କ ହଲୋଗ୍ରାମ ପ୍ରତିମୂର୍ତ୍ତି। ଯାହାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିବାର କାର୍ଯ୍ୟକ୍ରମ ରହିଛି।
ଇଣ୍ଡିଆ ଗେଟ୍ ଠାରେ ପ୍ରତିଷ୍ଠା କରାଯିବାକୁ ଥିବା ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୨୫ ଫୁଟରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ନେତାଜୀଙ୍କ ସୁଉଚ୍ଚ ଓ ଅକର୍ଷଣୀୟ ପୂର୍ଣ୍ଣ ଅବଯବ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସ୍ଥାପନା ହେବ, କେବଳ ଓଡିଶା ନୁହେଁ ସାରା ଦେଶର ରାଷ୍ଟ୍ରଭକ୍ତଙ୍କ ମନରେ ଉତ୍ସାହର ବାତାବରଣ ଖେଳାଇ ଦେଇଛି।