କେନ୍ଦ୍ରାପଡା ବ୍ଲକର ଗାଙ୍ଗପଡା ପଞ୍ଚାୟତରୁ ଆଜି ସରପଞ୍ଚ ପାଇଁ ମନୋନୟନପତ୍ର ଦାଖଲ କରିଛନ୍ତି ଜଣେ ଯୁବ ସମାଜସେବୀ ରଞ୍ଜନ କୁମାର ସାହୁ । ଜୀବନରେ ସାଧାରଣ ଗରିବ ଖଟିଖିଆ ଓ ମେହେନତି ମଣିଷର ସେବା କରିଆସିଥିବା ରଞ୍ଜନ ସରପଞ୍ଚ କ୍ଷମତା ପାଇଲେ ଏହାକୁ ଅଧିକ କ୍ରିୟାଶୀଳ କରିବେ ବୋଲି କହିଛନ୍ତି । ରଞ୍ଜନ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ନିଜର ସମର୍ଥକ ଓ ପ୍ରସ୍ତାବକମାନଙ୍କ ସହିତ ପହଞ୍ଚି ମନୋନୟନପତ୍ର ଦାଖଲ କରିସାରିବା ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ପାନୀୟ ଜଳ ସମସ୍ୟା ଏହି ପଞ୍ଚାୟତର ପ୍ରମୁଖ ସମସ୍ୟା, ଦୋବନ୍ଧା ରାସ୍ତା ସମସ୍ୟା, ଅଲ୍ଲିପୁର ସାନପନ୍ତୁରୀ ରାସ୍ତା ସମସ୍ୟାର ସମାଧାନ ହୋଇପାରିନି । ଏହି ପଞ୍ଚାୟତରେ ଅନେକ ଗରିବ ଗୁରୁବା ରାସନ୍ କାର୍ଡ ସୁବିଧାରୁ ବଞ୍ଚିତ ଅଛନ୍ତି । ପାଖ ପଞ୍ଚାୟତରେ ଆଦର୍ଶ ପୋଖରୀ, ଆଦର୍ଶ ବିଦ୍ୟାଳୟ, ଆଦର୍ଶ ଲାଇବ୍ରେରୀ, ପାର୍କ ଗଢି ଉଠିଥିବାବେଳେ ଗାଙ୍ଗପଡା ପଞ୍ଚାୟତର ଲୋକେ ଏସବୁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ପାଖ ପଞ୍ଚାୟତର ଲୋକମାନେ ସବୁ ସରକାରୀ ସୁବିଧା ସୁଯୋଗ ପାଉଥିବା ବେଳେ ଏହି ପଞ୍ଚାୟତର ଲୋକେ କାହିଁକି ଏସବୁ ସୁବିଧାରୁ ବଞ୍ଚିତ ହେବେ ବୋଲି ସେ କହିଛନ୍ତି । ପଞ୍ଚାୟତର ଗାଙ୍ଗପଡା, ଦୋବନ୍ଧା ସୋବଳା, ଗୋଗୁଆ, ଭର୍ସିଂ, ସାନପନ୍ତୁରୀ, ଅଲ୍ଲିପୁର ଓ ପୋଇପାଟର ଭୋଟରମାନେ ତାଙ୍କୁ ଆଶୀର୍ବାଦ କରିବାକୁ ସେ ନିବେଦନ କରିଛନ୍ତି ।