ଦେଶରେ ମାର୍ଚ୍ଚ ମାସ ଆରମ୍ଭରୁ ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ କୋଭିଡ -୧୯ ଟୀକାକରଣ ଆରମ୍ଭ ହେବ | ଏ ନେଇ ଜାତୀୟ ବୈଷୟିକ ପରାମର୍ଶଦାତା ସମୂହ (NTAGI) ମୁଖ୍ୟ ଏନ.କେ ଆରୋରା ଏହି ସୂଚନା ଦେଇଛନ୍ତି |
ଭାରତରେ ଚଳିତ ମାସର ୩ ତାରିଖରୁ ୧୫ ରୁ ୧୮ ବର୍ଷ ବୟସର କିଶୋରମାନଙ୍କ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି | ଜାନୁଆରୀ ଶେଷ ସୁଦ୍ଧା 15 ରୁ 18 ବର୍ଷ ବୟସର ସମସ୍ତ ୭.୪ କୋଟି କିଶୋରଙ୍କୁ ଟିକା ଦେବା ପାଇଁ NTAGI ଲକ୍ଷ୍ୟ ଧାର୍ଯ୍ୟ କରିଛି | ଫଳରେ ଫେବୃଆରୀରେ ସେମାନଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇପାରିବ | ଏହା ପରେ ମାର୍ଚ୍ଚ ଆରମ୍ଭରୁ ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କର ଟୀକାକରଣ ଆରମ୍ଭ ହେବ |
ଜାନୁଆରୀ ୩ ରେ ଯେତେବେଳେ ଟୀକାକରଣ ଅଭିଯାନ ଆରମ୍ଭ ହେଲା, ସେତେବେଳେ 5 ଲକ୍ଷରୁ ଅଧିକ କିଶୋର ସେମାନଙ୍କ ପ୍ରଥମ ଟିକା ଗ୍ରହଣ କରିବାକୁ ପଞ୍ଜୀକୃତ କରିଥିଲେ। ପ୍ରଥମ ଦିନରେ ୪0 ଲକ୍ଷରୁ ଅଧିକ କିଶୋର କୋଭିଡ -୧୯ ଟିକାର ପ୍ରଥମ ଡୋଜ ଗ୍ରହଣ କରିଥିଲେ | ପରବର୍ତ୍ତୀ ୧୬ ଦିନ ମଧ୍ୟରେ, ୩.୩୮ କୋଟି ପିଲା ଏହି ଟିକା ନେଇସାରିଛନ୍ତି, ଯାହାକି ପାଖାପାଖି 50 ପ୍ରତିଶତ କଭରେଜକୁ ଦର୍ଶାଉଛି |
ସୂଚନା ଥାଉକି, ୨୫ ଡିସେମ୍ବର ୨୦୨୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବାବେଳେ କୋଭିଡ -୧୯ ଟୀକାକରଣ କାର୍ଯ୍ୟକ୍ରମରେ ୧୫ ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଘୋଷଣା କରିଥିଲେ |