ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ସଂସଦର ବଜେଟ୍ ଅଧିବେଶନ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଫେବୃଆରୀ ପହିଲାରେ ସଂସଦରେ ଉପସ୍ଥାପିତ ହେବ ବଜେଟ୍ । ରାଷ୍ଟ୍ରପତି ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରିବେ | ଏପ୍ରିଲ ୮ ତାରିଖ ଯାଏ ଚାଲିବ ଅଧିବେଶନ । ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ସଂସଦରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ । ଲଗାତର ୪ର୍ଥ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି ନିର୍ମଳା ସୀତାରମଣ। ଏଥିନିମନ୍ତେ ଜୋରସୋରରେ ଚାଲିଛି ପ୍ରସ୍ତୁତି।
କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢ଼ୁଥିବା କାରଣରୁ ଚଳିତ ଥର ବଜେଟ ଅଧିବେଶନକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଅଧିବେଶନ ଜାନୁଆରୀ ୩୧ ରୁ ଫେବୃଆରୀ ୧୧ ପର୍ଯ୍ୟନ୍ତ ଚାଲିବ । ଏହାପରେ ଦ୍ୱିତୀୟ ଅଧିବେଶନ ୧୪ ମାର୍ଚ୍ଚରୁ ୮ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ ।
ଅନ୍ୟପକ୍ଷରେ ଦେଶରେ ଏବେ କରୋନା ମାମଲା ବଢ଼ି ଚାଲିଥିବା ବେଳେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ ।ତୃତୀୟ ଲହର ସମୟରେ ସଂସଦ ସଂସଦର ଉଭୟ ଗୃହର 718 କର୍ମଚାରୀ ଗତ ଏକ ମାସ ମଧ୍ୟରେ କରୋନାରେ ସଂକ୍ରମିତ ହୋଇଛନ୍ତି | ରାଜ୍ୟସଭା ସଚିବାଳୟର ସୂତ୍ରରୁ ପ୍ରକାଶ ଯେ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ 200 କର୍ମଚାରୀ ରାଜ୍ୟସଭାର। ଅବଶିଷ୍ଟ ଲୋକସଭା ଏବଂ ଅନ୍ୟାନ୍ୟ ବିଭାଗ ସହ ଜଡିତ ବୋଲି କୁହାଯାଉଛି। କୋଭିଡ୍ ସଂକ୍ରମଣ ଭୟ ଭିତରେ ବଜେଟ୍ ଅଧିବେଶନ କିଭଳି ବସିବ ତାକୁ ନେଇ ରାଜନୀତି କରିଡରରେ ବେଶ ଆଲୋଚନା ମଧ୍ୟ ହୋଇଥିଲା । ହେଲେ ଏହାରି ଭିତରେ ଜାନୁଆରୀ ୩୧ ତାରିଖରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।