ମକର ସଂକ୍ରାନ୍ତି ପାଳନ ଓ ବଳଦେବଜୀୟୁଙ୍କ ଦର୍ଶନ ଉପରେ ଲାଗିଲା କଟକଣା | କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବଳଦେବଜୀୟୁଙ୍କ ପୀଠରେ ୧୪୪ ଧାରା ଜାରି କରିଯାଇଛି | ଏହି ୧୪୪ ଧାରା ଆଜି ୧୨ ତାରିଖ ରାତି ୯ଟା ଠାରୁ ଆସନ୍ତା ଜାନୁଆରୀ ୧୫ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସର୍ବସାଧାରଣଙ୍କ ଜାଣିବା ପାଇଁ ଡାକବାଜି ଯନ୍ତ୍ର ସହାୟତାରେ ସୂଚନା ଦିଆଯାଇଛି । ବଳଦେବଜୀୟୁଙ୍କ ମନ୍ଦିର ଚାରିପାଖ ୫୦୦ ମିଟର , ରଥଦାଣ୍ଡ ଓ ମାଉସୀମା’ଙ୍କ ମନ୍ଦିର ଚାରିପାଖରେ ଏହି ୧୪୪ ଧାରା ଲାଗୁ କରାଯାଇଛି । କେବଳ ଠାକୁରଙ୍କ ସେବାୟତ, ସେବା କାର୍ଯ୍ୟରେ ଓ ଆଇନଶୃଙ୍ଖଳାରେ ନିୟୋଜିତ ଅଧିକାରୀମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଆସନ୍ତା ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବାରୁ କେନ୍ଦ୍ରାପଡା ଜିଲ୍ଲା ଓ ଜିଲ୍ଲା ବାହାରୁ ତୁଳସୀକ୍ଷେତ୍ରର ବଳଦେବଜୀୟୁଙ୍କ ମନ୍ଦିରକୁ ହଜାର ହଜାର ଭକ୍ତଗଣଙ୍କ ସୁଅ ଛୁଟେ । ମନ୍ଦିର ଚାରିପଟେ ମକରବେଢା ବୁଲିଲେ ୭ ଜନ୍ମର ପାପ କ୍ଷୟ କରନ୍ତି ବଳିଆ ସାଆନ୍ତ ବୋଲି ଭକ୍ତଙ୍କର ବିଶ୍ବାସ ରହିଛି । ତୁଳସୀକ୍ଷେତ୍ରରେ କଟକଣା ଲାଗିବା ଖବର ଶୁଣି ଭକ୍ତମାନମାନେ ନିରାଶ ହୋଇଥିବା ଜଣାଯାଇଛି |