ପଞ୍ଚଭୂତରେ ଲୀନ ହେଲେ କାକା | ନିରବି ଗଲା ତାଙ୍କ ଗୁରୁ ଗମ୍ଭୀର କଣ୍ଠସ୍ୱର । ଛଳଛଳ ଆଖିରେ ବିିଦାୟ ଦେଲେ ବନ୍ଧୁ, ସିନେପ୍ରେମୀ, ପ୍ରଶଂସକ ଓ ପରିବାରବର୍ଗ। କଟକ ସିଡିଏ ସ୍ଥିତ ସତିଚଉରାରେ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପର୍ଣ ହୋଇଛି । ପୁଅ ଅମ୍ଳାନ ଦାସ ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ତାଙ୍କ ମୃତ୍ୟୁ ସହିତ ଚାରି ଦଶନ୍ଧି ବ୍ୟାପି ତାଙ୍କ ଅଭିନୟ ଯାତ୍ରାର ଯବନିକା ପଡିଗଲା । ଝିପଝିପ୍ ବର୍ଷା ହେଉଥିବା ସତ୍ୱେ ବିଶିଷ୍ଟ ରାଜନେତା, ଫିଲ୍ମ ଅଭିନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତେ ଶେଷ ଥର ପାଇଁ ଏହି ଭେଟରାନ ଆକ୍ଟରଙ୍କୁ ଦେଖିବାକୁ ଘଣ୍ଟା ଘଣ୍ଟା ଛିଡ଼ା ହୋଇଥିଲେ । ଶୋକାକୂଳ ପରିବେଶରେ ଫାଟି ପଡ଼ିଥିଲା ପୂରା ପରିବେଶ। ଶେଷ ବିଦାୟ ନେଇ ବର୍ଷୀଆନ ଅଭିନେତା ମିହିର ଦାସ ପରପାରିକୁ ଚାଲିଯାଇଥିବା ବେଳେ ଓଡ଼ିଆ ଫିଲ୍ମ ଜଗତରେ ଏକ ଅପୂରଣୀୟ କ୍ଷତିି କରିଯାଇଛନ୍ତି । ଓଡ଼ିଆ ସିନେ ଜଗତରେ କାକା ନାଁ ରେ ପରିଚିତ ବିଶିଷ୍ଟ ଅଭିନେତା ମିହିର ଦାସଙ୍କ ଗତକାଲି ଅପରାହ୍ନରେ କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। କିମ୍ବଦନ୍ତୀ ଅଭିନେତାଙ୍କ ଆକସ୍ମିକ ବିୟୋଗରେ ସିନେମା ଓ ଟେଲି ଜଗତରେ ଗଭୀର ଶୋକର ଛାୟା ଖେଳି ଯାଇଛି। ଏହି ଖବର ଶୁଣି ପ୍ରଧାନମନ୍ତ୍ରୀ ଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଗଣେଶ ଲାଲ ପ୍ରମୁଖ ସମସ୍ତେ ଶୋକ ପ୍ରକାଶ କରିଛନ୍ତି। ୧୯୫୯ ମସିହା ଫେବୃଆରୀ ୧୧ ତାରିଖରେ ମୟୁରଭଞ୍ଜ ଜିଲ୍ଲା ବାରିପଦାର ଭଞ୍ଜପୁରଠାରେ ଜନ୍ମ ଗ୍ରହଣ କରିଥିଲେ ମିହିର । ପିଲାଟି ବେଳୁ ଅଭିନୟ ପ୍ରତି ରୁଚି ଥିବାରୁ ସେ ବାପା ଙ୍କ ସହ କଟକ ଚାଲି ଆସି ରେଭେନ୍ସାରେ ପାଠ ପଢାସହ ଯାତ୍ରା, ମଞ୍ଚ ନାଟକରେ ଅଭିନୟ କରୁଥିଲେ। ମାତ୍ର ୨୧ ବର୍ଷରେ ୧୯୮୦ ମସିହାରେ ଚଳଚ୍ଚିତ୍ର ରାମାୟଣରେ ଶତ୍ରୁଘ୍ନ ଭୂମିକାରେ ଅଭିନୟ କରି ସିନେ କ୍ୟାରିୟର ଆରମ୍ଭ କରିଥିଲେ। ୧୬୫ ରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି। ଯେଉଁ କଟକ ସହରକୁ କର୍ମ ଭୂମି ଭାବେ ଗ୍ରହଣ କରି ପାଦ ଥାପିଥିଲେ ସେହି କଟକର ସତୀ ଚଉରା ସ୍ମଶାନରେ ପଞ୍ଚଭୂତରେ ଲୀନ ହୋଇଗଲେ ଏବଂ ଅଫେରା ବାଟର ସାରଥୀ ହୋଇ ସମସ୍ତଙ୍କ ଆଖିରେ ଲୁହ ଦେଇ କାକା ସବୁଦିନ ପାଇଁ ଚାଲିଗଲେ।