କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ ଆଉ କେତେବେଳେ ସରକାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଚାଷୀ ମୁଣ୍ଡରେ ପଡୁଛି ଚଡକ। ସରକାର ଧାର୍ଯ୍ୟ କରିଥିବା ତାରିଖରେ ଖୋଲିପାରିଲେନି ମଣ୍ଡି। ଫଳରେ ଚାଷୀ ଧାନ ନେଇ ମଣ୍ଡିକୁ ଆସିଥିବାବେଳେ ମଣ୍ଡି ନଖୋଲିବାରୁ ହତାଶ ହୋଇ ଘରକୁ ଫେରିଥିବା ଦେଖିବାକୁ ମିଳିଛି | ଏ ଭଳି ଘଟଣା ଦେଖିବାକୁ ମିଳିଛି କଟକ ସଦର ବ୍ଲକର କନ୍ଦରପୁର ମଣ୍ଡିରେ । ପ୍ରଥମେ ବାତ୍ୟା ଜୱାଦ ଚାଷୀଙ୍କ ମୁହଁରୁ ବର୍ଷକର ଭାତ ଛଡାଇ ନେଇଥିବା ବେଳେ ଯାହା କିଛି ଧାନ ଅମଳ କରିଥିଲା ଏବେ ମଣ୍ଡି ନ ଖୋଲିବାରୁ ଅମଳ ଧାନକୁ କେଉଁଠି ଗଛିତ କରିବ ସେ ନେଇ ଚିନ୍ତାରେ ପଡିଛି । କଟକ ସଦର ବ୍ଲକର କନ୍ଦରପୁର ଅଞ୍ଚଳରେ ସରକାର ଧାର୍ଯ୍ୟ କରିଥିବା ଜାନୁଆରୀ ୮, ୯, ୧୦ ତାରିଖରେ ମଣ୍ଡିରେ ଧାନ ଦେବା ପାଇଁ ସମସ୍ତ ପଂଜିକୃତ ଚାଷୀମାନଙ୍କ ନିକଟକୁ ଫୋନରେ ମେସେଜ ଆସିଥିଲା | କିନ୍ତୁ ପରିତାପର ବିଷୟ ଚାଷୀ ମାନେ ଧାନ ଆଣି 3 ଦିନ ଧରି ଶୀତ କାକରରେ ମଣ୍ଡି ନିକଟରେ ପଡିରହିଥିଲେ | ହେଲେ ସରକାରଙ୍କ ପକ୍ଷରୁ ମଣ୍ଡି ଖୋଲାଗଲା ନାହିଁ | ଫଳରେ ବାଧ୍ୟ ହୋଇ ଚାଷୀ ମଣ୍ଡିରେ ଧାନ ନ ଦେଇ ପାରି ହତାଶ ହୋଇ ଘରକୁ ଫେରିଲେ । ଅନ୍ୟପକ୍ଷରେ ଯଦି ସରକାର ତୁରନ୍ତ ମଣ୍ଡି ନ ଖୋଲନ୍ତି ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।