ଦେଶରେ କରୋନା ସଂକ୍ରମଣ ମାମଲା ବଢୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡାକିଛନ୍ତି। ଆଜି ଅପରାହ୍ନ 4 ଟାରେ କୋଭିଡ୍ ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଗତ ଶନିବାର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କରୋନା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ 1 ଲକ୍ଷ 68 ହଜାର 63 ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ 277 ଜଣ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି | ମହାରାଷ୍ଟ୍ରରେ ରେକର୍ଡ ସଂଖ୍ୟକ ଦୈନିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଉ କିଛି ରାଜ୍ୟରେ ମଧ୍ୟ ସ୍ଥିତିି ବିଗିଡ଼ିବାରେ ଲାଗିଛି । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । କରୋନା ସଂକ୍ରମଣ ଓ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା କିପରି ନିୟନ୍ତ୍ରଣକୁ ଅଣାଯିବ, ସେନେଇ ଆଲୋଚନା କରିବେ । ଏହା ସହ ରାଜ୍ୟ ସରକାରମାନେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ସେ ନେଇ ମଧ୍ୟ ପଚାରି ବୁଝିବେ ପ୍ରଧାନମନ୍ତ୍ରୀ ।