ଲିଙ୍ଗଗତ ପ୍ରଭେଦକୁ ଦୂର କରିବା ପାଇଁ କେତେବେଳେ କେଉଁଠି ନୂଆନୂଆ ନିଷ୍ପତି ଗ୍ରହଣ କରାଯାଉଛି। ନିକଟରେ ଅନ୍ତର୍ଜାତୟ କ୍ରିକେଟ ବୋର୍ଡ ବ୍ୟାଟସମ୍ୟାନ ଶଦ୍ଦକୁ ଉଠାଇ ବ୍ୟାଟର କରିବାକୁ ନିଷ୍ପତି କରିଛନ୍ତି। କାରଣ ହେଲା, ମହିଳା କ୍ରିକେଟରଙ୍କ ପାଇଁ ବ୍ୟାଟସମ୍ୟାନ ଶଦ୍ଦଟି ଅସୁବିଧା ସୃଷ୍ଟି କଲା। ସେହିପରି କେରଳର ଗୋଟିଏ ସ୍କୁଲ ଏହି ଲିଙ୍ଗଗତ ତାରତମ୍ୟକୁ ଦୂର କରିବା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ଏଣିକି ଛାତ୍ରଛାତ୍ରୀ ସ୍କୁଲର ଶିକ୍ଷକଙ୍କୁ ‘ Teacher’ ବୋଲି ସଂବୋଧିତ କରିବେ। କେହି ‘ସାର’ କିମ୍ବା ‘ମ୍ୟାଡ଼ାମ୍’ ଡାକିପାରିବେ ନାହିଁ। କେରଳର ପାଲକ୍କାଡ ଜିଲ୍ଲାର ଓଲାସ୍ସେରୀ ଗ୍ରାମ୍ୟ ସ୍କୁଲରେ ଏହି ନିଷ୍ପତି କରାଯାଇଛି। ସରକାରୀ ସାହାଯ୍ୟପ୍ରାପ୍ତ ଏହି ସ୍କୁଲରେ ମୋଟ 3 ଶହ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଏଥିସହିତ 9 ଜଣ ଶିକ୍ଷୟତ୍ରୀ ଏବଂ 8 ଜଣ ଶିକ୍ଷକ ଅଛନ୍ତି।
ଏହି ସ୍କୁଲର ପ୍ରଧାନଶିକ୍ଷକ ଏଚ. ଭେନୁଗୋପାଳନ କୁହନ୍ତି ଯେ, ଏହି ପ୍ରସ୍ତାବଟି ସ୍କୁଲର ଜଣେ ଶିକ୍ଷକ ଆଣିଥିଲେ। ଏହାପରେ ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ସମସ୍ତେ ସମ୍ମତି ପ୍ରଦାନ କଲେ। ଏପରିକି ଶିକ୍ଷୟତ୍ରୀମାନେ ମଧ୍ୟ ବେଶ ଖୁସି ପ୍ରକଟ କଲେ। ଫଳରେ ଏକ ନୋଟିସ ବାହାର କରି ଏହି ଲାଗୁ କରିବା ପାଇଁ ନିଷ୍ପତି କଲୁ ବୋଲି ଭେନୁଗୋପାଳ କହିଛନ୍ତି।
ଆଉ ଜଣେ ଶିକ୍ଷକଙ୍କ କହିବା କଥା ଯେ, ଏହି ସ୍କୁଲଠାରୁ 14 କିଲୋମିଟର ଦୂରରେ ଏକ ପଞ୍ଚାୟତ ଅଛି। ସେଠାରେ ମଧ୍ୟ କାହାକୁ ସା’ରେ କିମ୍ବା ମ୍ୟାଡମ ନ ଡାକିବା ପାଇଁ ନିଷ୍ପତି କରାଯାଇଛି। ସେଠାରେ ଅଧିକାରୀଙ୍କୁ ବା ପ୍ରତିନିଧିଙ୍କୁ ତାଙ୍କର ପଦବୀ ଅନୁସାରେ ଡାକିବା ପାଇଁ ନିଷ୍ପତି କରାଯାଇଛି। ଯେପରି ସରପଞ୍ଚଙ୍କୁ ସା’ରେ ନ ଡାକି ସରପଞ୍ଚ, ୱାର୍ଡ ମେମ୍ବରଙ୍କୁ ସା’ରେ ବା ମ୍ୟାଡମ ନ ଡାକି ୱାର୍ଡମେମ୍ବର ଡାକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l
‘ଏହି ନିଷ୍ପତି ଆମକୁ ବେଶ୍ ପ୍ରଭାବିତ କରିଥିଲା। ସେଥିପାଇଁ ଆମେ ମଧ୍ୟ ନିଷ୍ପତି କଲୁ ଯେ, ଆମ ସ୍କୁଲରେ ମଧ୍ୟ ସା’ରେ ମ୍ୟାଡମ ପରଂପରାକୁ ଭାଙ୍ଗିଦେବୁ। ସେହି ଅନୁସାରେ ସମସ୍ତଙ୍କ ମତାମତ ନେଇ ଏପରି ନିଷ୍ପତି ଗ୍ରହଣ କରିଲୁ ବୋଲି ଆଉ ଜଣେ ଶିକ୍ଷକ କହିଛନ୍ତି।’ ସେ ପୁଣି କହିଛନ୍ତି ଯେ, ଖୁସିର କଥା ଆମର ଏହି ନିଷ୍ପତି ଅନ୍ୟ ସ୍କୁଲରେ ମଧ୍ୟ ଲାଗୁ କରିବା ପାଇଁ ସେଠାକାର କର୍ତ୍ତୁପକ୍ଷ ଚିନ୍ତା କରୁଛନ୍ତି।