ଏବେ ସମସ୍ତଙ୍କ ନଜର ରହିଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଉପରେ | ଏଠାରେ କେଉଁ ଦଳ ବହୁମତ ଲାଭ କରି ସରକାର ଗଠନ କରିବ ସେ ନେଇ ଚାଲିଛି କଳ୍ପନାଜଳ୍ପନା | ବିଜେପି, ଏସପି, ବିଏସପି ସମେତ ଆମ୍ ଆଦମୀ ପାର୍ଟି ମଧ୍ୟ ନିଜ ନିଜର ପତିଆରା ଦେଖାଇବାକୁ ଫୁଲଦମରେ ଲାଗିପଡିଛନ୍ତି | ସମସ୍ତ ଦଳ ନିର୍ବାଚନରେ ବିଜୟୀ ହେବାକୁ ଦାବି କରିବା ସହ ନିଜର ରାଜନୀତିକ ସମୀକରଣ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି |
ଶୀତ ଋତୁରେ ମଧ୍ୟ ୟୁପିରେ ରାଜନୈତିକ ମାହୋଲ ଗରମ ରହିଛି | ୟୁପିରେ କେଉଁ ଦଳ ସରକାର ଗଢିବ ଏବଂ କାହା ହାତରେ ରାଜ୍ୟର ଶାସନ ଡୋର ରହିବ ? ଏହାର ଉତ୍ତର ଜାଣିବାକୁ, ସାଧାରଣ ଲୋକଙ୍କୁ ନେଇ ଏକ ଜନମତ ସର୍ବେକ୍ଷଣ କରାଯାଇଛି | ଏହି ସର୍ବେକ୍ଷଣ ତଥ୍ୟ ଅନୁଯାୟୀ, ୟୁପିରେ ଶାସକ ଦଳ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେଉଥିବା ଜଣାଯାଇଛି | ସର୍ଭେ ଆକଳନରୁ ଜଣାପଡିଛି ଯେ, ୟୁପିରେ ବିଜେପି ଜିତିବାର ସମ୍ଭାବନା ରହିଛି । ଗତ 4 ଟି ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ଆସନ୍ତା ନିର୍ବାଚନରେ ବିଜେପି କ୍ଷମତାକୁ ଆସିପାରେ ବୋଲି ସାଧାରଣ ମତଦାତା ସେମାନଙ୍କ ମତ ଦେଇଛନ୍ତି । 49 ପ୍ରତିଶତ ଲୋକଙ୍କ ବିଶ୍ୱାସ ଦେଶର ଏହି ବଡ ରାଜ୍ୟରେ ବିଜେପି ପୁଣି ଥରେ ସରକାର ଗଠନ କରିପାରେ । ସେହିଭଳି 30 ପ୍ରତିଶତ ଲୋକଙ୍କ ମତ ଯେ, ଏହି ନିର୍ବାଚନରେ ସମାଜବାଦୀ ପାର୍ଟି କ୍ଷମତାକୁ ଆସିବ । ଏଥିସହିତ 7 ପ୍ରତିଶତ ଲୋକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଚଳିତ ବର୍ଷ ନିର୍ବାଚନରେ ବିଏସପି ସରକାର ଗଠନ କରିବାକୁ ଯାଉଛି। କେବଳ 2 ପ୍ରତିଶତ ଲୋକଙ୍କୁ ଲାଗୁଛି ରାଜ୍ୟର କ୍ଷମତାର ଡୋର କଂଗ୍ରେସ ହାତକୁ ଯିବ । ଏଥିସହିତ କିଛି ଲୋକ ରାଜ୍ୟରେ ଝୁଲା ବିଧାନସଭା ହେବାର ଆଶା ପ୍ରକଟ କରିଛନ୍ତି।