ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ମାମଲା ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଏହି ଘଟଣାକୁ ନିନ୍ଦା କରିବା ସହ ବିଚ ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଅଟକିବା ଏକ ବିରଳ ଘଟଣା ବୋଲି କହିଛନ୍ତି । ଭବିଷ୍ୟତରେ କୌଣସି ବି ରାଜ୍ୟରେ ଯେପରି ଏଭଳି ଘଟଣାର ପୁନରାବୃତି ନହୁଏ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଆମେ ଗମ୍ଭୀର। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସେମାନଙ୍କ କମିଟି ଉପରେ ବିଚାର କରିବା ଉଚିତ୍। ପିଏମ ମୋଦୀଙ୍କ କାରକେଡକୁ ଅଟକାଇବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି. ରମଣ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚ ମତ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି. ରମଣ ଯାତ୍ରା ରେକର୍ଡ ଏବଂ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ମିଳିଥିବା ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ପଞ୍ଜାବ ପୋଲିସର ଅଧିକାରୀ, ଏସପିଜି ଏବଂ ଅନ୍ୟାନ୍ୟ ଏଜେନ୍ସିକୁ ସହଯୋଗ କରିବାକୁ ଏବଂ ପୁରା ରେକର୍ଡକୁ ସିଲ୍ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି। କେନ୍ଦ୍ର ଏବଂ ପଞ୍ଜାବ ସରକାରଙ୍କ ପ୍ୟାନେଲଗୁଡ଼ିକୁ ସୋମବାର ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର, ଜାନୁଆରୀ 10 ରେ ହେବ |
ଅନ୍ୟପକ୍ଷରେ ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂ କହିଛନ୍ତି, ଏହା କେବଳ ଆଇନଶୃଙ୍ଖଳା ଘଟଣା ନୁହେଁ ବରଂ ଜାତୀୟ ସୁରକ୍ଷା ପ୍ରସଙ୍ଗ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଏହି ମାମଲାରେ ସ୍ୱଚ୍ଛ ଅନୁସନ୍ଧାନ ଆବଶ୍ୟକ ଏବଂ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।