ସହରରେ ବୁଲିବେ ରୋବର୍ଟ, ଆକାଶରେ ଉଡ଼ିବ କାର | କୃତ୍ରିମ ମେଘ ଜଳ ବର୍ଷା କରିବ | ଖାଲି ସେତିକି ନୁହେଁ ଏକ କୃତ୍ରିମ ଚନ୍ଦ୍ର ମଧ୍ୟ ନିର୍ମାଣ କରାଯିବ, ଯାହା ପ୍ରତ୍ୟେକ ରାତିରେ ବାହାରକୁ ଆସି ଲୋକଙ୍କୁ ଆଲୋକ ପ୍ରଦାନ କରିବ | ଏଠାରେ ଆମେ କୌଣସି ଫିଲ୍ମର କଥା କହୁନାହୁଁ | ଆଗାମୀ ଦିନରେ ଏହା ସତ ହେବାକୁ ଯାଉଛି | ସାଉଦି ଆରବ ଏବେ ଏପରି ଏକ ଅତ୍ୟାଧୁନିକ ସହର ବନାଇବାକୁ ଯାଉଛି, ଯେଉଁଠାରେ ରୋବର୍ଟ ଲୋକଙ୍କୁ ସୁରକ୍ଷା ଦେବା ସହ ଚାକିରି ମଧ୍ୟ କରିପାରିବେ । 170କିମି ପରିବ୍ୟାପ୍ତ ଏହି ସହରକୁ କାର୍ବନମୁକ୍ତ କରିବାକୁ ନା ରହିବ ରାସ୍ତା ନା ରହିବ ଗଳି | କାର ଓ ଟ୍ୟାକ୍ସି ଉପରେ ଉଡିବେ | 500 ବିଲିୟନ ଡଲାର ମୂଲ୍ୟରେ ନିର୍ମିତ ଏହି ସହର ଲଣ୍ଡନଠାରୁ 17 ଗୁଣ ବଡ ହେବ |
ସାଉଦି ଆରବର ତବୁକ୍ ରାଜ୍ୟରେ ଏପରି ସହର ନିର୍ମାଣ କରାଯିବ । ଏହି ସହରର ନାମ ରଖାଯିବ ‘ନିୟୋମ’ । ବ୍ରିଟେନ୍ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ୨୦୨୫ ସୁଦ୍ଧା ପ୍ରସ୍ତୁତ ହୋଇଯିବ ଏହି ସହର । ନିଓମ ସହର ଜୋର୍ଡାନ ଏବଂ ଇଜିପ୍ଟର ସୀମାରେ ଅବସ୍ଥିତ ହେବ । ‘ନିୟୋମ’ ବିଶ୍ୱର ପ୍ରଥମ ସହର ହେବ ଯେଉଁଠାରେ ସୌର ଶକ୍ତି ଏବଂ ପବନ ଶକ୍ତି ଦ୍ୱାରା ସହର ସଂଚାଳିତ ହେବ । ରାତି ହେଲେ ପ୍ରାକୃତିକ ଚନ୍ଦ୍ର ଭଳି କୃତ୍ରିମ ଚନ୍ଦ୍ର ରାତିରେ ଆଲୋକ ପ୍ରଦାନ କରିବ । ‘ନିୟୋମ’ର ଅଧ୍ୟକ୍ଷ କ୍ରାଉନ ଫ୍ରିସ୍ ମହମ୍ମଦ ବିନି ସଲମାନଙ୍କ କହିଛନ୍ତି, ଏହି ସହର ଡ୍ରୋନ୍ ଫ୍ରେଣ୍ଡଲି ଏବଂ ରୋବର୍ଟିକ୍ସ ବିକାଶ କେନ୍ଦ୍ରରେ ପରିଣତ ହେବ । ଏଠାରେ ଉଡନ୍ତା କାର ଟ୍ୟାକ୍ସି ଦେଖିବାକୁ ମିଳିବ । ଠିକ୍ ହଲିଉଡ୍ ଫିଲ୍ମରେ ଉଡୁଥିବା ଟ୍ୟାକ୍ସି ଓ କାର ଭଳି । ଏହି ସହରରେ ଜୁରାସିକ୍ ପାର୍କ ଶୈଳୀରେ ଏକ ‘ଡାଇନୋସର ରୋବଟ୍’ ମଧ୍ୟ ନିର୍ମାଣ କରାଯିବ | ଲୋକଙ୍କ ମନୋରଞ୍ଜନ ପାଇଁ ଏକ ‘ରୋବଟ୍ ମାର୍ଶଲ୍ ଆର୍ଟ’ ମଧ୍ୟ ସୃଷ୍ଟି ହେବ, ଯେଉଁଠାରେ ରୋବର୍ଟ ମାନେ ପରସ୍ପର ସହିତ ଲଢିବେ |