ଓଡ଼ିଶାରେ ପ୍ରଥମ ଜୀବନ ନେଲା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍। ମୃତକ ଜଣକ ହେଲେ ଜଣେ ମହିଳା । ବଲାଙ୍ଗୀର ଜିଲ୍ଳା ଆଗଲପୁର ଅଞ୍ଚଳର ୫୫ ବର୍ଷୀୟ ମହିଳା ଇନ୍ଦିରା ନାଏକ ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏନେଇ ବଲାଙ୍ଗୀର ସିଡିଏମ୍ଓ ଡ଼. ସ୍ନେହଲତା ସାହୁ ସୂଚନା ଦେଇଛି। ମୃତ ମହିଳା ଜଣକ ବଲାଙ୍ଗୀର ଜିଲ୍ଳାର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବଲାଙ୍ଗୀର ସିଡିଏମଓ ସୂଚନା ମୁତାବିକ, ବଲାଙ୍ଗୀର ଆଗଲପୁର ଅଞ୍ଚଳର ଇନ୍ଦିରା ନାଏକ ସ୍ୱାସ୍ଥ୍ୟଗତ କାରଣରୁ ତଳେ ପଡିଯାଇଥିଲେ । ଗତ ୨୨ ତାରିଖରେ ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ ସମ୍ବଲପୁର ସ୍ଥିତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତ ୨୩ ତାରିଖରେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯିବା ପରେ ପରୀକ୍ଷା କରାଯାଇଥିଲା । ଏହାପରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଜେନେମ ସିକ୍ବେନ୍ସିଂ ପାଇଁ ତାଙ୍କ ନମୁନା ପଠାଯାଇଥିଲା । ବୁଧବାର ଦିନ ସେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଥିଲା । ରିପୋର୍ଟ ହସ୍ତଗତ ହେବା ପୂର୍ବରୁ ଗତ ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏକ ଟିମ୍ ସଂପୃକ୍ତ ମୃତ ମହିଳାଙ୍କ ଘରେ ପହଞ୍ଚି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ପରିବାର ଲୋକଙ୍କର ଆରଟିପିସିଆର ଟେଷ୍ଟ କରିବା ସହ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି l