ସୁରଟର ଏକ ପ୍ରିଣ୍ଟିଙ୍ଗ ମିଲରେ ଘଟିଛି ଅଘଟଣ । ଗୁରୁବାର ଭୋର ସମୟରେ ପ୍ରିଣ୍ଟିଙ୍ଗ ମିଲରେ କେମିକାଲ ଗ୍ୟାସ ଲିକ୍ ଯୋଗୁଁ ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଊର୍ଧ୍ଵ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ସେମାନେ ସମସ୍ତେ ସୁରଟ ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସୂଚନା ମୁତାବକ, ସୁରଟର ଶିଳ୍ପାଞ୍ଚଳ ସଚିନ ଜିଆଇଡିସି ଅଞ୍ଚଳରେ ଥିବା ବିଶ୍ୱ ପ୍ରେମ୍ ଡାଇଙ୍ଗ ଆଣ୍ଡ ପ୍ରିଣ୍ଟିଙ୍ଗ ମିଲରେ ଟ୍ୟାଙ୍କରରୁ ଗୁରୁବାର ସକାଳେ ଗ୍ୟାସ ଲିକ୍ ହୋଇଥିଲା । ଫଳରେ ଅଣନିଶ୍ୱାସୀ ହୋଇ ଘଟଣାସ୍ଥଳରେ ହିଁ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସ୍ୱତନ୍ତ୍ର ଟିମ୍ ଉପଯୁକ୍ତ କିଟ୍ ସହ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଏହି ଟିମ୍ କେମିକାଲ ଲିକ୍ ରୋକିବାକୁ ପ୍ରୟାସ ଜାରି ରଖିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏ ଲୋକମାନଙ୍କୁ ଘର ମଧ୍ୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମାସ୍କ ବ୍ୟବହାର କରିବାକୁ କୁହାଯାଇଛି। ତେବେ କେଉଁ ପରିସ୍ଥିତିରେ ଟ୍ୟାଙ୍କରରୁ କେମିକାଲ ଲିକ୍ ହେଲା, ସେକଥା ଜଣାପଡ଼ିନି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଆଜି ଭୋର ସମୟରେ କେହି ଅଜଣା ଟ୍ୟାଙ୍କର ଚାଳକ ଆସି ମିଲ ପାଖରେ ଥିବା ଏକ ନାଳି ନିକଟରେ ବିଷାକ୍ତ କେମିକାଲ ପକାଉଥିଲେ । ହଠାତ ଏଥିରୁ ଗ୍ୟାସ ବାହାରି ଆଖପାଖ ସ୍ଥାନରେ ବ୍ୟାପି ଯାଇଥିଲା । ଫଳରେ ଶ୍ରମିକମାନେ ଅଣନିଶ୍ୱାସୀ ହୋଇପଡିଥିଲେ ।