ପରଲୋକରେ ୧୪୦୦ ଅନାଥ ପିଲାଙ୍କ ମା ପଦ୍ମଶ୍ରୀ ସିନ୍ଧୁତାଇ ସପକାଲ । ମଙ୍ଗଳବାର ୭୪ ବର୍ଷ ବୟସରେ ତାଙ୍କର ମହାପ୍ରୟାଣ ହୋଇଛି । ହୃଦଘାତ ଯୋଗୁଁ ସିନ୍ଧୁତାଇଙ୍କର ପରଲୋକ ହୋଇଛି । ଅନାଥ ପିଲାମାନଙ୍କ ଜୀବନକୁ ସଜାଡିବାରେ ସିନ୍ଧୁତାଇ ତାଙ୍କ ସମ୍ପୂର୍ଣ୍ଣ ଜୀବନକୁ ଉତ୍ସର୍ଗ କରିଦେଇଥିଲେ | ପାଖାପାଖି ୧୪୦୦ ଅନାଥ ଶିଶୁଙ୍କୁ ଆପଣାଇନେଇ ସେମାନଙ୍କର ଲାଳନପାଳନ କରିଥିଲେ । ସିନ୍ଧୁତାଇଙ୍କ ପରିବାର ବହୁତ ବଡ | ତାଙ୍କର ୨୦୭ ଜ୍ୱଇଁ, ୩୬ ବୋହୂ ଏବଂ ୧୦୦୦ ରୁ ଅଧିକ ନାତିନାତୁଣୀ ଅଛନ୍ତି | ସିନ୍ଧୁତାଇଙ୍କ ନାମରେ ୬ ଟି ସଂସ୍ଥା ପରିଚାଳିତ ହେଉଛି, ଯାହା ଅନାଥ ପିଲାମାନଙ୍କୁ ସାହାଯ୍ୟ କରେ | ତାଙ୍କର ଏଭଳି ପରୋପକାର କାର୍ଯ୍ୟ ପାଇଁ ତାଙ୍କୁ ତାଙ୍କୁ ୨୦୨୦ରେ ଦେଶର ସର୍ବୋଚ୍ଚ ପଦ୍ମ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏଥିସହିତ ଦେଶ ବିଦେଶରୁ ୫୦୦ ରୁ ଅଧିକ ସମ୍ମାନ ଓ ପ୍ରଶଂସା ପ୍ରଦାନ କରାଯାଇଥିଲା । ମହାରାଷ୍ଟ୍ରର ‘ମଦର ଟେରେସା’ ଭାବେ ଜଣାଶୁଣା ଥିଲେ ସିନ୍ଧୁତାଇ ।
ତାଙ୍କର ବ୍ୟକ୍ତିଗତ ଜୀବନ ଥିଲା ବହୁ ସଂଘର୍ଷମୟ | ମହାରାଷ୍ଟ୍ରର ୱାର୍ଧାରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ସେ | ସିନ୍ଧୁତାଇ ୧୨ ବର୍ଷର ହୋଇଥିବା ବେଳେ ତାଙ୍କର ବିବାହ କରିଦିଆଯାଇଥିଲା | ବିବାହ ପରେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ନିର୍ଯାତନା ଦେବା ସହ ଘରୁ ବାହାର କରିଦେଲେ | ସେତେବେଳକୁ ସେ ୯ ମାସର ଗର୍ଭବତୀ ଥିଲେ | ପରେ ସିନ୍ଧୁତାଇ ଏକ ଗୋଶାଳାରେ ନିଜ ଝିଅକୁ ଜନ୍ମ ଦେଇଥିଲେ । ଦୁଃଖକଷ୍ଟ ସହି ନପାରି ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଚିନ୍ତା କରିଥିଲେ | କିନ୍ତୁ ନିଜ କଅଁଳା ଶିଶୁର ମୁହଁକୁ ଚାହିଁ ସେ ରେଲୱେ ପ୍ଲାଟଫର୍ମରେ ଭିକ୍ଷା ମାଗି ଚଳୁଥିଲେ। ଭିକ ମାଗିବାବେଳେ ସେ ଏପରି ଅନେକ ଅନାଥ ପିଲାଙ୍କ ସମ୍ପର୍କରେ ଆସିଥିଲେ, ଯାହାର ଦୁନିଆରେ କେହି ନଥିଲେ | ସେ ସେହି ପିଲାମାନଙ୍କ ମଧ୍ୟରେ ତାଙ୍କର ଦୁଃଖ ଦେଖି ସେମାନଙ୍କୁ ଆପଣାଇବା ସହ ସେମାନଙ୍କୁ ମଣିଷ କରିବାକୁ ପଣ କରିଥିଲେ । ତାଙ୍କର ଏହି ନିଷ୍ଠା ତାଙ୍କୁ ପ୍ରତିଷ୍ଠା ଦେଇଥିଲା, ଯାହା ସେ କେବେବି ଆଶା କରିନଥିଲେ ।