ଡେମୋ ଦେଖାଇଲେ ପୁତ୍ରହନ୍ତା ମା’ । ନିଜର ୨ ମାସର ପୁଅକୁ କିପରି ମାରି କୂଅରେ ଫିଙ୍ଗିଲେ ସେ ସମ୍ପର୍କରେ ଆଜି ପୋଲିସ ଆଗରେ ତାହାର ଡେମୋ ଦେଖାଇଛନ୍ତି ମା’ । ପୁଅକୁ ତଣ୍ଟି ଚିପି ହତ୍ୟା କରି ଏକ ଅଖାରେ ପୂରାଇ କୂଅରେ ଫିଙ୍ଗିଦେଇଥିବା ଆଜି ପୋଲିସ ଆଗରେ ସ୍ୱୀକାର କରିଛନ୍ତି ଜନ୍ମକଲା ମା ଲକ୍ଷ୍ମୀପ୍ରିୟା ପରିଡା। ଆଜି ମାର୍ଶାଘାଇ ପୋଲିସ ଲକ୍ଷ୍ମୀପ୍ରିୟାଙ୍କୁ ତାଙ୍କ ଘର କାନପୁର ଗାଁକୁ ଆଣି କିପରି ଘଟଣା ଘଟାଇଥିଲେ ତାହାର ଡେମୋ ପ୍ରଦର୍ଶନ କରାଇଛି । ପୋଲିସ ଭାଷାରେ ଏହା ଅଭିଯୁକ୍ତର କ୍ରାଇମ୍ ରିକ୍ରିଏସନ ବୋଲି କୁହାଯାଉଛି । ଏହି କ୍ରାଇମ୍ ରିକ୍ରିଏସନକୁ ପୋଲିସ ରେକର୍ଡ କରିଛି । ପାରିବାରିକ କଳହକୁ ନେଇ ଗତ ୨ ତାରିଖ ରାତିରେ ନିଜର ୨ ମାସର ଜନ୍ମକଲା ପୁଅକୁ ଅତି ନୃସଂସ ଭାବେ ହତ୍ୟା କରିଥିଲା ମା’ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା । ସପରିବାର ରାତିରେ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତିରେ ପୁଅକୁ ହତ୍ୟା କରି ଏକ ଅଖାରେ ଭର୍ତି କରି ସେଥିରେ ପଥର ବାନ୍ଧି ଘର ବାହାରେ ଥିବା ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଫିଙ୍ଗି ଦେଇ କୂଅର ଢାଙ୍କୁଣି ଘୋଡାଇ ଦେଇଥିଲେ । ପୋଲିସ ଗତକାଲିଠାରୁ ଅଭିଯୁକ୍ତ ମା ଲକ୍ଷ୍ମୀପ୍ରିୟା ପରିଡାଙ୍କୁ ନିଜ ହେପାଜତକୁ ନେଇଥିଲା । ୩ ବର୍ଷ ତଳେ କାନପୁର ଗାଁର ସତ୍ୟରଞ୍ଜନ ପରିଡାଙ୍କୁ ପ୍ରେମ ବିବାହ କରିଥିଲେ ଲକ୍ଷ୍ମୀପ୍ରିୟା । ପୁତ୍ରହନ୍ତା ମାଆ ଲକ୍ଷ୍ମୀପ୍ରିୟାକୁ ମାର୍ଶାଘାଇ ଥାନା ପୋଲିସ ଆଇପିସିର ୩୦୨ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛି !