ତାତିଲେ ଜମାକାରୀ । ଜମାର ମିଆଦ ଶେଷ ହୋଇଥିଲେ ମଧ୍ୟ ଅର୍ଥ ଲଗାଣକାରୀ ସଂସ୍ଥା ସାହାରା ଇଣ୍ଡିଆ ସେମାନଙ୍କ ରାଶି ଫେରସ୍ତ କରି ନଥିବାରୁ ଶତାଧିକ ଜମାକାରୀ କେନ୍ଦ୍ରାପଡା ସହରର ବଣିଆମାଳଠାରେ ଥିବା କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ଏହି ଜମାକାରୀମାନେ ପଟ୍ଟାମୁଣ୍ଡାଇ ଶାଖା କାର୍ଯ୍ୟାଳୟର ଜମାକାରୀ ବୋଲି ଜଣାପଡିଛି । ନିଜ ପେଟରୁ କାଟି କଷ୍ଟ ଅର୍ଜିତ ଧନକୁ ଅଧିକ କରିବାକୁ ସାହାରା ଇଣ୍ଡିଆରେ ଜମା କରିଥିଲେ । ଲକ୍ଷଲକ୍ଷ ଟଙ୍କା କମ୍ପାନୀ ନିକଟରେ ପଡି ରହିଥିବା ବେଳେ ଅନେକ ଗ୍ରାହକ ରୋଗଶଯ୍ୟାରେ ପଡି ଔଷଧ କିଣିବାକୁ ପଇସାଟିଏ ନ ପାଇ ଜୀବନ ହରାଇଥିବା ଅଭିଯୋଗ ହୋଇଛି । ଏପରି ଦୁର୍ଦ୍ଦିନରେ ଷଢୁଥିବା ଜମାକାରୀ ପଟ୍ଟାମୁଣ୍ଡାଇ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନିରାଶ ହେବାପରେ ଆଜି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ଘେରାଉ କରିବା ସହିତ ଗୋଟିଏ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ବାହାରକୁ ବାହାର କରିଦେଇ ତାଲା ପକାଇଦେଇଛନ୍ତି । ସାହାରାଇଣ୍ଡିଆ କାର୍ଯ୍ୟାଳୟ କେବେ ସେମାନଙ୍କ ଜମା ଅର୍ଥ ଫେରାଇବ ତାହାର ଲିଖିତ ପ୍ରତିଶୃତି ନମିଳିବା ପର୍ଯନ୍ତ ତାଲା ଖୋଲାଯିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ସାହାରା ଇଣ୍ଡିଆର ସମସ୍ତ ସମ୍ପତ୍ତି ଏବେ ସରକାରଙ୍କ ନିକଟରେ ବନ୍ଧାପଡିଥିବା ଓ ମାମଲା ସୁପ୍ରିମକୋର୍ଟଙ୍କ ନିକଟରେ ବିଚାରାଧୀନ ରହିଛି ବୋଲି ସାହାରା ଇଣ୍ଡିଆର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟରେ ମାମଲା ଫଏସଲା ପରେ ଜମାକାରୀମାନଙ୍କ ଅର୍ଥ ଫେରାଇ ଦିଆଯିବ ବୋଲି କହିଛନ୍ତି । କିନ୍ତୁ ଜମାକାରୀମାନେ ଏହିକଥାରେ ସନ୍ତୁଷ୍ଟ ନଥିବାରୁ ଏବେ ଏକ ଅଚଳଅବସ୍ଥା ସୃଷ୍ଟି ହେବାରେ ଲାଗିଛି ।