୧୫ ରୁ ୧୮ ବର୍ଷ ବୟସର କିଶୋରମାନଙ୍କ ପାଇଁ ଟୀକାକରଣ ଆଜିଠାରୁ ଆରମ୍ଭ ହେଉଛି। ଏହି ଗୋଷ୍ଠୀ ପାଇଁ କେବଳ କୋଭାକ୍ସିନ ଟୀକା ଦିଆଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୨୦୦୭ ମସିହାରେ କିମ୍ବା ତା’ପୂର୍ବରୁ ଜନ୍ମ ହୋଇଥିବା ସମସ୍ତ କିଶୋର ଏହି ଟୀକା ପାଇବାକୁ ଯୋଗ୍ୟ ହେବେ। ଏହି ବର୍ଗ ପାଇଁ କୋଭିଡ ଟିକା ପଞ୍ଜିକରଣ ଜାନୁଆରୀ ୧ ରୁ କୋୱନି ପୋର୍ଟାଲରେ ଉପଲବ୍ଧ କରାଯାଇଛି। ଏହି କ୍ରମରେ ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୫୦ ରୁ ଉର୍ଦ୍ଧ ଟୀକାକରଣ କେନ୍ଦ୍ରରେ ଟୀକାକରଣ କରାଯାଉଛି । ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିଛନ୍ତି ସେମାନେ ଟୀକା ନେଉଛନ୍ତି ।ଯେଉଁମାନେ ପଞ୍ଜିକରଣ କରିନଥିବେ ସେମାନେ ମଧ୍ୟ ଅନସ୍ପଟ ପଞ୍ଜିକରଣ କରି ଟୀକା ନେଇପାରୁଛନ୍ତି । ସ୍କୁଲରେ ପାଠପଢ଼ୁଥିବା ୧୫ରୁ ୧୮ବର୍ଷ ବୟସର ସମସ୍ତ ପିଲା ଯେମିତି ଟୀକା ନେଇପାରିବେ ସେଥିପାଇଁ ସ୍କୁଲର ଅଧ୍ୟକ୍ଷମାନେ ବ୍ୟବସ୍ଥା କରିଛନ୍ତି । ରାଜ୍ୟର ପ୍ରାୟ ୨୫ଲକ୍ଷ ପିଲା ୧୫ ରୁ ୧୮ ବର୍ଷ ବୟସର ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ସ୍କୁଲ ଓ କଲେଜରେ ପଢ଼ୁଛନ୍ତି ।ବର୍ତମାନ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ, ତାକୁ ନିୟନ୍ତ୍ରଣ କରିବା ପାଇଁ ଏହି ବର୍ଗର ସମସ୍ତ ପିଲାଙ୍କୁ ଯେମିତି ଟୀକାର ପ୍ରଥମ ଡୋଜ୍ ଗୋଟିଏ ମାସ ଭିତରେ ଦିଆଯିବ ସେହି ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି ସରକାର । ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ଟୀକା ଦେବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ବିଭାଗ ସଚିବ। ମାଟ୍ରିକ ସମେଟିଭ୍ ପରୀକ୍ଷା ଥିବାରୁ ୮ତାରିଖ ପରେ ସେମାନଙ୍କୁ ଟୀକା ଦେବାକୁ ପରାମର୍ଶ ଦିଆଯାଇଛି।।