ଦୀର୍ଘ ଦୁଇ ବର୍ଷ ହେଲା ସାରା ବିଶ୍ୱରେ କରୋନାର ମହାମାରୀ କଳାବାଦଲ ଭିତରେ ରହିଛି । ଏହାରି ଭିତରେ ୨୦୨୨ ଆରମ୍ଭ ହୋଇସାରିଛି । ଏବେ ସାରା ଦେଶରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଲହରର ସାମ୍ନା କରିସାରିଲେଣି । ସେହିପରି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଏହାର ଅନ୍ତ କେବେ ହେବ ସେନେଇ ବଡ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏକ ଆଶ୍ୱସ୍ତିକର ଖବର ଆଣିଛି । ୨୦୨୨ରେ କରୋନା ମହାମାରୀର ଅନ୍ତ ଘଟିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆଶା ପ୍ରକାଶ କରିଛି । କରୋନା ମହାମାରୀର ଅନ୍ତ ଘଟିବା ପାଇଁ ଟିକା ସାଜିବ ପ୍ରମୁଖ ଅସ୍ତ୍ର । ଏହା ବ୍ୟତୀତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ୱାମୀନାଥନ କହିଛନ୍ତି ଯେ ନୂଆ ବର୍ଷରେ ଟୀକାକରଣ ବୃଦ୍ଧି ପାଇବ ଏବଂ ମହାମାରୀ ନିୟନ୍ତ୍ରଣକୁ ଆସିବ | ସେ ଆଶା ପ୍ରକଟ କରିଛନ୍ତି ଯେ ମହାମାରୀ ସାଧାରଣ ଥଣ୍ଡାର ରୂପ ନେଇପାରେ ଯାହାକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ |