ଇତିହାସ ରଚିଲା ଟିମ୍ ଇଣ୍ଡିଆ | ସେଞ୍ଚୁରିୟନ ଗ୍ରାଉଣ୍ଡରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ | ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ଟେଷ୍ଟ ମ୍ୟାଚ ସିରିଜର ପ୍ରଥମ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି | ପ୍ରଥମ ଥର ପାଇଁ ଭାରତୀୟ ବୋଲରମାନେ ଆଶ୍ଚର୍ଯ୍ୟଜନକ ଭାବେ ବୋଲିଂ କରି ସେଞ୍ଚୁରିୟନ ଗ୍ରାଉଣ୍ଡରେ ଆଫ୍ରିକୀୟ ଦଳକୁ ପରାସ୍ତ କରିଛନ୍ତି। ଭାରତ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍ ରେ ହରାଇଛି | ଟିମ୍ ଇଣ୍ଡିଆ ୩୦୫ ରନ ଟାର୍ଗେଟ ଦେଇଥିବା ବେଳେ ଦକ୍ଷିଣ ଆଫ୍ରିକା ମାତ୍ର ୧୯୧ ରନ କରି ଅଲ ଆଉଟ ହୋଇଯାଇଥିଲେ |
୩୦୫ ରନର ଲକ୍ଷ୍ୟ ରଖି ଦକ୍ଷିଣ ଆଫ୍ରିକା ମଇଦାନକୁ ଓଲ୍ହାଇ ଥିବା ବେଳେ ଦଳର କ୍ୟାପଟେନ ଡିନ ଏଲଗର ସର୍ବାଧିକ ୭୭ ରନ୍ କରିଥିଲେ । ଏହା ବ୍ୟତୀତ କୌଣସି ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ ଖେଳି ପାରି ନଥିଲେ । ଏହାବ୍ୟତୀତ କ୍ୱିଣ୍ଟନ୍ ଡେ କକ୍ ୨୧ ରନ୍ ସଂଗ୍ରହ କରିଥିଲେ।
ମ୍ୟାଚ ପ୍ରଥମ ଦିନରୁ ହିଁ ଭାରତ ଦକ୍ଷିଣ ଆଫ୍ରିକା ଉପରେ ଚାପ ସୃଷ୍ଟି କରିଥିଲା । ପ୍ରଥମ ଇନିଂସରେ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତ ୩୨୭ ରନ କରିଥିଲା । ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ ପରେ ଦକ୍ଷିଣ ଆଫ୍ରିକାଙ୍କୁ ଘାଇଲା କରିଥିଲେ ଭାରତୀୟ ଦ୍ରୁତ ବୋଲର । ଭାରତୀୟ ଦ୍ରୁତ ବୋଲରଙ୍କୁ ସାମ୍ନା କରିପାରିନଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ । ଯାହା ଫଳରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୧୯୭ ରନ କରି ଅଲଆଉଟ ହୋଇଥିଲେ । ଭାରତ ପକ୍ଷରୁ ପ୍ରଥମ ଇନିଂସରେ ମହମ୍ମଦ ସାମି ୫ଟି, ଯଶପ୍ରୀତ ବୁମ୍ରା ଓ ଶାର୍ଦ୍ଦୁଳ ଠାକୁର ୨ଟି ଏବଂ ମହମ୍ମଦ ସିରାଜ ଗୋଟିଏ ଓ୍ୱିକେଟ ଅକ୍ତିଆର କରିଥିଲେ ।
ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ୧୯୭ରେ ଅଲଆଉଟ କରିବା ପରେ ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟିଂ କୋଲାପ୍ସ ହୋଇଥିଲା । ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୧୭୪ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୩୪ ରନ କରିଥିଲେ । ଭାରତ ୧୭୪ ରନ କରି ଅଲଆଉଟ ହେବା ପରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୩୦୫ ରନର ବିଜୟ ଲକ୍ଷ୍ୟ ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ମାତ୍ର ୧୯୧ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସାମି ତିନୋଟି ଲେଖାଏଁ ଓ୍ୱିକେଟ ନେଇଥିବାବେଳେ ଶାର୍ଦ୍ଦୁଳ ଠାକୁର ଓ ରବିଚନ୍ଦ୍ରନ ଅଶ୍ୱିନୀ ଦୁଇଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ଦମଦାର ଶତକ ପାଇଁ କେଏଲ ରାହୁଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ ।