ଛତିଶଗଡର ରାଜଧାନୀ ରାୟପୁରରେ ଅନୁଷ୍ଠିତ ଧର୍ମ ସଭାରେ ମହାତ୍ମା ଗାନ୍ଧୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ବାବା କାଳୀଚରଣଙ୍କ ନାଁରେ ଥାନାରେ ଏତେଲା ଦିଆଯାଇଛି । ଏହା ମଧ୍ୟରେ ସନ୍ଥ କାଳୀଚରଣଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ କହିଛନ୍ତି ଗାନ୍ଧୀଙ୍କୁ ଅପମାନିତ କରିଛି ବୋଲି ମୋର କୌଣସି ଅନୁତାପ ନାହିଁ, କି ମୁ ପଶ୍ଚାତାପ ମଧ୍ୟ କରୁନି । ସେ କହିଛନ୍ତି ମୁଁ ଯାହା କହିଛି ଠିକ୍ କହିଛି । ଦରକାର ପଡିଲେ ଫାଶୀ ଦଣ୍ଡରେ ଦଣ୍ଡିତ ହେବାକୁ ରାଜି ଅଛି । ହେଲେ ମୋର ସ୍ୱର ପରିବର୍ତ୍ତନ ହେବ ନାହିଁ ବୋଲି ନିଜ ୟୁଟ୍ୟୁବ ଚ୍ୟାନେଲରେ ସେ ଏକ ଭିଡିଓ ଅପଲୋଡ କରିଛନ୍ତି ।
ସେ କହିଛନ୍ତି ହଜାର ହଜାର ବର୍ଷ ପୂର୍ବରୁ ଦେଶ ଅଛି । 200 ବର୍ଷ ପୂର୍ବେ ଆସିଥିବା ଜଣେ ବ୍ୟକ୍ତି କିପରି ଜାତିର ପିତା ହୋଇପାରିବେ ? ଗାନ୍ଧିଜୀଙ୍କ ପ୍ରତି ମୋ ମନରେ ତିରସ୍କାର ରହିଛି ବୋଲି କହିଛନ୍ତି କାଳୀଚରଣ । ଏପରିକି ସର୍ଦ୍ଦାର ପଟେଲଙ୍କ ପରିବର୍ତ୍ତେ ନେହେରୁଙ୍କୁ କାହିଁ ପ୍ରଧାନମନ୍ତ୍ରୀ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ଭିଡିଓରେ ସେ ପୁନର୍ବାର ନାଥୁରାମ ଗଡସେଙ୍କୁ ପ୍ରଣାମ କରିଥିଲେ । ଅନ୍ୟପକ୍ଷରେ ଧର୍ମ ନାଁରେ ଘୃଣା, ହିଂସା ସୃଷ୍ଟି କରିବା ଭଳି ବୟାନ ଦେବା ପରେ ବି କାଳୀଚରଣଙ୍କୁ ଗିରଫ କରା ନଯିବା ନେଇ ତେଜୁଛି ଅସନ୍ତୋଷ । ଧର୍ମ ସଂସଦରେ ଏଭଳି ବୟାନ ଦେବାକୁ ନେଇ ଏଫ୍ଆଇଆର ରୁଜୁ ହୋଇଥିଲେ ବି କ୍ଷମା ମାଗିବାକୁ ସଫା ସଫା ମନା କରିଦେଇଛନ୍ତି କାଳିଚରଣ । ପୂର୍ବତନ ରାୟପୁର ମେୟର ପ୍ରମୋଦ ଦୁବ୍ବେଙ୍କ ଅଭିଯୋଗ ଆଧାରରେ ରାୟପୁର ସ୍ଥିତ ତ୍ରିକାରାପାରା ପୋଲିସ ଷ୍ଟେସନରେ କାଳୀଚରଣଙ୍କ ନାଁରେ ମାମଲା ରୁଜୁ କରିଛି । ତାଙ୍କ ନାଁରେ ଧାରା ୫୦୫(୨) ଓ ୨୯୪ ଅନୁଯାୟୀ ମାମଲା ରୁଜୁ ହୋଇଛି ।
ରବିବାର ସନ୍ଧ୍ୟାରେ ରାୟପୁରରେ ଚାଲିଥିଲା ଦୁଇ ଦିନିଆ ଧର୍ମ ସଂସଦ । ସଭାର ଶେଷ ଦିନରେ ବାବା କାଳୀଚରଣ ତାଙ୍କ ଅଭିଭାଷଣରେ ଜାତିର ପିତାଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଥିବେଳେ ତାଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଶଂସା କରିଥିଲେ। ଫଳରେ ସେଠାରେ ସୃଷ୍ଟି ହୋଇଥିଲା ଅପ୍ରିତୀକର ପରିସ୍ଥିତି । ଏହା ପରେ ଛତିଶଗଡ ସମେତ ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ବିଜେପି-କଂଗ୍ରେସ ନେତାଙ୍କ ମଧ୍ୟରେ ଅଭିଯୋଗ ଏବଂ କାଉଣ୍ଟର ଅଭିଯୋଗ ଜାରି ରହିଛି।