କଂଗ୍ରେସ ନେତା କହ୍ନେୟା କୁମାର ନବରଙ୍ଗପୁରରୁ ଫେରିଯିବା ପରେ ଭାଷଣସ୍ଥାନକୁ ଶୁଦ୍ଧିକରଣ କଲେ ନବରଙ୍ଗପୁରର ଦୁଇ ଯୁବକ । ଦେଶଦ୍ରୋହର ଆଖ୍ୟା ଦେଇ ସଭା ସ୍ଥଳକୁ ଶୁଦ୍ଧି କରିଛନ୍ତି ହିନ୍ଦୁ ଏକତା ବାହିନୀର ଯୁବକ । ଶୁଦ୍ଧିକରଣ ସମୟର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଗତକାଲି ନବରଙ୍ଗପୁର ସହର ହିରଲୀସ୍ଥିତ ନୂତନ ମଣ୍ଡେଇ ପଡ଼ିଆଠାରେ ୧୦୦ ତମ ପ୍ରତିଷ୍ଠା ଦିବସକୁ ସଂକଳ୍ପ ଦିବସ ଭାବେ ପାଳନ କରିଥିଲା ଜିଲ୍ଲା କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ କଂଗ୍ରେସ ନେତା କହ୍ନେୟା କୁମାର ଓ ଅନ୍ୟ ବରିଷ୍ଠ ନେତା । ତେବେ ସଭା ପରେ କାର୍ଯ୍ୟକ୍ରମ ସ୍ଥଳକୁ ସଂସ୍କୃତ ମନ୍ତ୍ର ଧ୍ୱନି ସହ ଗଙ୍ଗା ଜଳ ଛିଞ୍ଚି ପବିତ୍ର କରିଛନ୍ତି ଜିଲ୍ଲା ହିନ୍ଦୁ ଏକତା ବାହିନୀ । ଏହି ଶୁଦ୍ଧିକରଣର ଭାଇରାଲ ଭିଡିଓରେ ଯୁବକମାନେ ନବରଙ୍ଗପୁର ସହରର ସଚେତନ ନାଗରିକ ବୋଲି ନିଜକୁ ସମ୍ବୋଧନ କରିବା ସହିତ କହ୍ନେୟା କୁମାରଙ୍କୁ ଦେଶଦ୍ରୋହର ଆଖ୍ୟା ଦେଇଛନ୍ତି । ସେ କହିଛନ୍ତି କହ୍ନେୟା କୁମାର ଜେଏନୟୁର ଛାତ୍ର ଥିବା ବେଳେ ଏକ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ରହି ଦେଶ ବିରୋଧୀ ନାରା ଦେଇଥିଲେ । ନବରଙ୍ଗପୁର ଭଳି ପବିତ୍ର ମାଟିରେ ତାଙ୍କ ପାଦ ପଡିବା ଦ୍ୱାରା ଏହି ମାଟି ଅପବିତ୍ର ହୋଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।