କଟକ ପରେ ପୁରୀରେ ଗୁଡି ସୂତା ଲାଗି କଟିଗଲା ଆଉ ଜଣେ ବ୍ୟକ୍ତିଙ୍କ ବେକ । ଅସୁସ୍ଥ ପୁଅ ପାଇଁ ବଡଦାଣ୍ଡକୁ ଔଷଧ କିଣିବାକୁ ଆସିଥିବା ବେଳେ ଗୁଡି ସୂତା ଲାଗି କଟିଗଲା ବେକ । କୁଣ୍ଢାଇବେଂଟ ସାହିର ଭଂଜବିହାରୀ ପାତ୍ରଙ୍କ କଟିଗଲା ବେକ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲାର ସାଲେପୁର ବ୍ଲକ ପୀରବଜାର ଅଞ୍ଚଳରେ ଗୁଡ଼ି ସୂତାରେ ବେକ କଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ତେବେ ସାଙ୍ଗରେ ଯାଉଥିବା ତାଙ୍କର ପତ୍ନୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ମୃତ ଯୁବକ ଜଣକ ହେଲେ ଜୟନ୍ତ ସାମଲ । ସୂଚନା ମୁତାବକ ରବିବାର ଅପରାହ୍ନରେ ସ୍ବାମୀ ସ୍ତ୍ରୀ ବାଇକ୍ ରେ ଯାଉଥିବା ସମୟରେ ଗୁଡ଼ି ସୂତା ଯୁବକଙ୍କ ବେକରେ ଲାଗି ଯିବାରୁ ହଠାତ୍ ସେ ଗାଡ଼ିରୁ ପଡ଼ିଯାଇଥିଲେ। ଗୁଡ଼ି ସୂତାରେ ବେକ କଟିଯିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପରେ ଏହି ଘଟଣା ସମ୍ପର୍କରେ ଯୁବକଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଏହି ଘଟଣାରେ ଗୁଡ଼ି ସୂତା ବିକ୍ରି କରୁଥିବା ୩ ଦୋକାନୀଙ୍କୁ ପୋଲିସ ଅଟକ ରଖିଛି । ହାଇକୋର୍ଟ ପୂର୍ବରୁ ମାଞ୍ଜା ସୂତାକୁ ବ୍ୟାନ କରିଥିବା ବେଳେ ପ୍ରଶାସନ ଏହାକୁ କଡାକଡି ଭାବେ ଲାଗୁ କରିବା ନେଇ ଦାବି ଉଠିବାରେ ଲାଗିଛି । ଏହାସହ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ।