ଭୁବନେଶ୍ୱର(ଏନଏନଏସ୍): ବାହାନଗା ଟ୍ରେନ୍ ଦୁର୍ଘଟଣାର ୫୧ ଘଣ୍ଟା ମଧ୍ୟରେ ଦୁଇଟି ଟ୍ରାକ୍ ମରାମତି ହୋଇଛି। ପ୍ରଥମେ ମାଲବାହୀ ଓ ପରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ହୋଇଥିବା ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହାସତ୍ତ୍ବେ ଆଜିପର୍ୟ୍ୟନ୍ତ ଓଡ଼ିଶାରେ ଟ୍ରେନ୍ ସେବା ସ୍ବାଭାବିକ ହୋଇପାରିନାହିଁ। ନିୟମିତ ଭାବେ ଚାଲୁଥିବା ଟ୍ରେନ୍ଗୁଡ଼ିକ ଠିକ୍ ଭାବେ ଚାଲୁନଥିବାରୁ ଯାତ୍ରୀମାନେ ଅସୁବିଧାର ସାମ୍ନା କରୁଛନ୍ତି ।
ଅନ୍ୟପଟେ ସ୍ଥିତି ସ୍ବାଭାବିକ ହୋଇ ନ ଥିବାରୁ ଆଜି ଦକ୍ଷିଣ ପୂର୍ବ ରେଳପଥ ଅଧୀନରୁ ଛାଡ଼ିବାକୁ ଥିବା ୯ଟି ଟ୍ରେନ୍ ବାତିଲ୍ ହୋଇଛି। ଯେଉଁଥିରେ କନ୍ୟାକୁମାରୀ-ଦେବ୍ରୁଗଡ଼ ଏକ୍ସପ୍ରେସ୍(୨୨୫୦୩), ସାଲିମାର-ହାଇଦ୍ରାବାଦ(୧୮୦୪୫), ହାଓଡ଼ା-ସତ୍ୟସାଇ ପ୍ରଶାନ୍ତି ନୀଳୟମ୍(୨୨୮୩୧), ସତ୍ୟସାଇ ପ୍ରଶାନ୍ତି ନୀଳୟମ୍-ହାଓଡ଼ା(୨୨୮୩୨), ଶାଲିମାର-ପୁରୀ(୨୨୮୩୫), ହାଓଡ଼ା-ପୁରୀ(୧୨୮୩୭), ହାଓଡ଼ା-ଚେନ୍ନାଇ ସେଣ୍ଟ୍ରାଲ(୧୨୮୩୯), ତମ୍ବାରମ୍-ସାନ୍ତ୍ରାଗଚ୍ଛି(୨୨୮୪୨), ଚେନ୍ନାଇ ସେଣ୍ଟ୍ରାଲ-ଶାଲିମାର(୧୨୮୪୨), ହାଇଦ୍ରାବାଦ-ଶାଲିମାର(୧୮୦୪୬) ଏକ୍ସପ୍ରେସ୍ ରହିଛି। ସେହିଭଳି ୩ଟି ଟ୍ରେନ୍ ର ଗତିପଥ ବରିବର୍ତ୍ତନ କରାଯିବା ସହ ଆଜି ପୁରୀ-ଋଷିକେଶ(୧୮୪୭୮) ଟ୍ରେନ୍ ର ମଧ୍ୟ ଗତିପଥ ପରିବର୍ତ୍ତନ କରାଯାଇଛି ।