ଏନଏନଏସ୍: ନୂତନ ସଂସଦ ଭବନ ଉଦଘାଟନରେ ୭୫ଟଙ୍କିଆ ସ୍ମାରକୀ ଧାତବ ମୁଦ୍ରା (କଏନ୍) ଜାରି କରାଯିବ । ଏନେଇ ଗତକାଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ମେ ୨୫ ତାରିଖରେ ଜାରି କରାଯାଇଥିବା ‘ଗେଜେଟ୍’ ବିଜ୍ଞପ୍ତିରେ ଅର୍ଥମନ୍ତ୍ରାଳୟ କହିଛି ଯେ, ‘କଏନେଜ୍ ରୁଲ୍ସ ୨୦୨୩’ ଅନୁଯାୟୀ ଏହି ସ୍ମାରକୀ ମୁଦ୍ରା ଜାରି କରାଯିବ।
ରୂପା, ତମ୍ବା, ନିକେଲ୍ ଓ ଦସ୍ତା ଧାତୁ ସମିଶ୍ରଣରେ ଏହି ୭୫ ଟଙ୍କିଆ ମୁଦ୍ରା ନିର୍ମାଣ କରାଯିବ। ୪୪ ମିଲିମିଟର୍ ଗୋଲେଇ ବିଶିଷ୍ଟ ଏହି ଧାତବ ମୁଦ୍ରାରେ ରହିବ ୨୦୦ଟି ଦାନ୍ତି। ଏହାର ସମ୍ମୁଖ ପାର୍ଶ୍ବରେ ରହିବ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଙ୍କେତ ସିଂହ। ତା’ ତଳକୁ ଦେବନାଗରୀ ଲିପିରେ ଲିଖିତ ‘ସତ୍ୟମେବ ଜୟତେ’ରହିବ। ସେହିପରି, ମୁଦ୍ରାର ବାମ ଗୋଲାର୍ଦ୍ଧରେ ଦେବନାଗରୀ ଲିପିରେ ଲିଖିତ ଶବ୍ଦ ‘ଭାରତ’ ଏବଂ ଡାହାଣ ଗୋଲାର୍ଦ୍ଧରେ ଇଂରାଜୀ ଲିପିରେ ଲିଖିତ ଶବ୍ଦ ‘ଇଣ୍ଡିଆ’ ରହିବ । ପୁଣି, ଜାତୀୟ ସଙ୍କେତ ସିଂହ ତଳକୁ ଭାରତୀୟ ଟଙ୍କାର ସଙ୍କେତ (“₹”) ଏବଂ ଇଂରାଜୀରେ ୭୫ ଲେଖା ରହିବ ।