ପ୍ରାର୍ଥନା ଭୁଲିଯିବାରୁ ଛାତ୍ରୀଙ୍କୁ ଦଣ୍ଡ | କିଛି ଛାତ୍ରୀ ପ୍ରାର୍ଥନା ବୋଲିବା ଭୁଲି ଯାଇଥିବାରୁ ବିଦ୍ୟାଳୟର ଶିକ୍ଷକ ସେମାନଙ୍କୁ ଖରାରେ ଶହେ ଥର ଉଠ୍ ବସ୍ କରାଇଥିଲେ | ଫଳରେ ୭ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ | ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ସୁନାମୁଦି ବାପୁଜି ଉଚ୍ଚ ବିଦ୍ୟାଳୟରେ |
ଅନ୍ୟପକ୍ଷରେ ପାଟଣାଗଡ ବାପୁଜି ହାଇସ୍କୁଲରେ ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସତ ହେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଘଟଣା ସମ୍ପର୍କରେ ପୁଂଖାନୁପୁଂଖ ତଦନ୍ତ ପାଇଁ ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସାଦ ମାଝିଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଯୋଗ୍ୟ ଯେ, ସକାଳୁଆ ସ୍କୁଲ ହୋଇଥିବାରୁ ଛାତ୍ରଛାତ୍ରୀ ସକାଳୁ ସ୍କଲରେ ପହଂଚି ପ୍ରାର୍ଥନା କରିବା ପାଇଁ ଧାଡିରେ ଛିଡା ହୋଇଥିଲେ । ଏହି ସମୟରେ କିଛି ଛାତ୍ରୀଙ୍କୁ ସେହି ସ୍କୁଲର ଇତିହାସ ଶିକ୍ଷକ ବିକାଶ ଧରୁଆ ପ୍ରାର୍ଥନା ଗାଇବା ପାଇଁ ସାମନାକୁ ଡାକିଥିଲେ । କିନ୍ତୁ ଦୀର୍ଘ ଦିନ ପରେ ସ୍କୁଲ ଖୋଲିଥିବାରୁ ଉକ୍ତ ଛାତ୍ରୀମାନେ ପ୍ରାର୍ଥନା ଭୁଲି ଯାଇଥିଲେ । ଏଥିରେ ଶିକ୍ଷକ ରାଗିଯାଇ ଛାତ୍ରଛାତ୍ରୀଙ୍କୁ ଖରାରେ ଶହେ ଥର ଉଠ୍ ବସ୍ କରାଇଥିଲେ । ଉଠବସ ଯୋଗୁ କିଛି ଛାତ୍ରୀ ଅସୁସ୍ଥତା ଅନୁଭବ କରିବା ସହ ଜଣ ଜଣ ହୋଇ ୭ଜଣ ଛାତ୍ରୀ ଅଚେତ ହୋଇ ପଡିଥିଲେ। ତୁରନ୍ତ ଛାତ୍ରୀମାନଙ୍କୁ ସ୍କୁଲର ଶିକ୍ଷକ ଏବଂ କିଛି ଅଭିଭାବକଙ୍କ ସହାୟତାରେ ପାଟଣାଗଡ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଦୁଇ ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅକ୍ସିଜେନ ଲଗା ଯାଇଥିଲା । ମାତ୍ରାଧିକ ଦଣ୍ଡ ଦେଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି ଦଣ୍ଡ ଦେଇଥିବା ଇତିହାସ ଶିକ୍ଷକ ବିକାଶ ଧରୁଆ ।