ରାଜ୍ୟରେ କାୟା ମେଲାଉଛି କରୋନା ଭାଇରସ । ବର୍ତ୍ତମାନ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ବିଭନ୍ନ ଜିଲ୍ଲା ଦାୟିତ୍ୱ ଡାକ୍ତରଙ୍କୁ ମିଳିଛି ନିଯୁକ୍ତି । ଆସନ୍ତା 7ଦିନ ଭିତରେ କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ । ନଚେତ୍ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ବଢୁଥିବା କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟାୟରେ ଆୟୁଷ, ପିଜି ଓ ଅନ୍ୟ ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଇଛନ୍ତି । କିନ୍ତୁ କେତେକ ଡାକ୍ତର ଏସବୁ ଜିଲ୍ଲାକୁ ଯିବା ଲାଗି ଅମଙ୍ଗ ହେଉଛନ୍ତି । ଏପରିକି କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି । ତେଣୁ ଏହି ଡାକ୍ତରମାନଙ୍କୁ ଆସନ୍ତା 7ଦିନ ଭିତରେ କାର୍ଯ୍ୟରେ ଯୋଗ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ନଚେତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସ୍ଇଟିଙ୍କ ପକ୍ଷରୁ ସବୁ ଜିଲ୍ଲା ସିଡିଏମ୍ଓ, ମେଡିକାଲ କଲେଜର ଡିନ୍ ତଥା ଅଧ୍ୟକ୍ଷଙ୍କୁ ଚିଠି ଦିଆଯାଇଛି ।ଚଳିତ ମହାମାରୀକୁ ଜାତୀୟ ବିପର୍ଯ୍ୟୟ ବୋଲି ଘୋଷଣା କରାଯାଇଛି । ଏଭଳି ଏକ ପରିସ୍ଥିତିରେ ଡାକ୍ତରମାନେ କାର୍ଯ୍ୟରେ ଯୋଗ ନ ଦେବା କୋଭିଡ୍ ଲଢ଼େଇରେ ଜିଲ୍ଲା ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରୁଛି । ତେଣୁ କୋଭିଡ୍ ଡ୍ୟୁଟିରେ ନିୟୋଜିତ ହୋଇଥିବା ଡାକ୍ତରମାନଙ୍କୁ ସେମାନଙ୍କ ଜିଲ୍ଲାରେ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି ନଚେତ୍ 2005 ବିପର୍ଯ୍ୟୟ ଆଇନ ଓ ଭାରତୀୟ ମେଡିକାଲ କାଉନ୍ସିଲ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।