ୟୁକ୍ରେନ ଉପରେ ଦମନଲୀଳା ଚଳାଇଛି ଋଷ | ଯୁଦ୍ଧ ଯୋଗୁ ଛାରଖାର ହୋଇଗଲାଣି ୟୁକ୍ରେନ | ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଜୋରଦାର ଉଦ୍ୟମ। ଉକ୍ତ ଦୁଇ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ ଧରି ଫସି ରହି ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ବତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମାକୁ ଆଣିବାରେ ସଫଳ ହୋଇଛନ୍ତି ।
ସେହି ଅଞ୍ଚଳରେ ଥିବା ସବୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବିମାନ ଯୋଗେ ଭାରତକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଏ ପର୍ଯ୍ୟନ୍ତ ୧୯୯ ଛାତ୍ରଛାତ୍ରୀ ନିରାପଦରେ ଭାରତରେ ପହଞ୍ଚି ସାରିଛନ୍ତି । ସବୁ ଓଡ଼ିଆ ପିଲାଙ୍କୁ ନିରାପଦ ଭାବରେ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି । ନୂଆଦିଲ୍ଲୀ ସ୍ଥିତ ରେସିଡେଣ୍ଟ କମିସନ ଅଫିସ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରକ୍ଷା କରୁଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ୟୁକ୍ରେନ ସୀମା ସଂଲଗ୍ନ ୪ଟି ଦେଶ ପାଇଁ ୪ ଜଣ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ସମନ୍ବୟ ରଖିବା ପାଇଁ ଦାୟିତ୍ବ ଦେଇଛନ୍ତି ।