ସିକିମର ନାଥୁଲା ଘାଟିରେ ଆଜି ପ୍ରବଳ ହିମସ୍ଖଳନ ଯୋଗୁଁ ୬ ଜଣ ପର୍ୟ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଭୂସ୍ଖଳନ ପରେ ଅନେକ ପର୍ୟ୍ୟଟକ ବରଫରେ ଫସି ରହିଥିବା ଆଶଙ୍କା କରାଯାଉଛି। ଏନେଇ ସେନା ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି । ହିମସ୍ଖଳନ ସମୟରେ ଏହି ଅଞ୍ଚଳରେ ୩୫୦ରୁ ଅଧିକ ପର୍ୟ୍ୟଟକ ଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ,ଗ୍ୟାଙ୍ଗଟକରୁ ନାଥୁଲାକୁ ସଂଯୋଗ କରୁଥିବା ଜବାହରଲାଲ ନେହେରୁ ରୋଡରେ ୧୫ତମ ମାଇଲରେ ହିମସ୍ଖଳନରେ ୬ ଜଣ ପର୍ୟ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫୦ରୁ ଅଧିକ ଲୋକ ବରଫରେ ଫସି ରହିଥିବା ଆଶଙ୍କା କରାଯାଉଛି।ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ ମିନିଟରେ ହିମସ୍ଖଳନ ଘଟିଥିଲା। ଆହତ ହୋଇଥିବା ୬ ଜଣଙ୍କର ନିକଟସ୍ଥ ସାମରିକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୪ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ୧୫୦ରୁ ଅଧିକ ପର୍ୟ୍ୟଟକ ଏବେ ବି ୧୫ ମାଇଲ ରୁ ଅଧିକ ଦୂରରେ ଫସି ରହିଛନ୍ତି। ସେପଟେ ବରଫରେ ଫସି ରହିଥିବା ୩୦ ଜଣ ପର୍ୟ୍ୟଟକଙ୍କୁ ଉଦ୍ଧାର କରାଯାଇ ଗ୍ୟାଙ୍ଗଟକସ୍ଥିତ ଏସଟିଏନଏମ ହସ୍ପିଟାଲ ଓ ସେଣ୍ଟ୍ରାଲ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।