ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟର ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। କେନ୍ଦ୍ରୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିଛନ୍ତି। ଉତରପ୍ରଦେଶ, ଉତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆ ୫ଟି ରାଜ୍ୟରେ ନିର୍ବାଚନ ହେବ କି ନାହିଁ, ଯେଉଁ ଆଶା ଆଶଙ୍କା ଲାଗି ରହିଥିଲା ତାହାର ଅନ୍ତ ହୋଇଛି । କରୋନା କଟକଣା ମଧ୍ୟରେ ନିର୍ବାଚନ ହେବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ୍ । ମୋଟ ୭ଟି ପର୍ଯ୍ୟାୟରେ ରାଜ୍ୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଉତ୍ତରପ୍ରଦେଶରେ ହେବ । ଏଥିପାଇଁ ଫ୍ରେବୃଆରୀ ୧୦ରେ ଭୋଟ ଗ୍ରହଣ ହେବ । ସେହିପରି ୨ୟ ପର୍ଯ୍ୟାୟ ନିର୍ବାଚନ ୪ଟି ରାଜ୍ୟ ଯଥା ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ହେବ । ଏଥିପାଇଁ ଫ୍ରେବୃଆରୀ ୧୪ରେ ଭୋଟ ଗ୍ରହଣ ହେବ । ଉତ୍ତରପ୍ରଦେଶରେ ୩ୟ ପର୍ଯ୍ୟାୟ ମତଦାନ ଫ୍ରେବୃଆରୀ ୨୦ରେ ଏବଂ ଚତୁର୍ଥ ପର୍ଯ୍ୟାୟ ମତଦାନ ଫ୍ରେବୃଆରୀ ୨୩ ହେବ । ୫ମ ପର୍ଯ୍ୟାୟ ମତଦାନ ମଣିପୁର ଓ ଉତ୍ତରପ୍ରଦେଶରେ ଫେବ୍ରୁଆରି ୨୭ରେ ହେବ । ଉତ୍ତରପ୍ରଦେଶରେ ୬ଷ୍ଠ ଓ ୭ମ ପର୍ଯ୍ୟାୟ ମତଦାନ ଯଥାକ୍ରମେ ମାର୍ଚ୍ଚ ୩ ଓ ମାର୍ଚ୍ଚ ୭ରେ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ । ମୁଖ୍ୟ ନିର୍ବାଚନ କମିଶନର ସୁଶିଲ ଚନ୍ଦ୍ରା ନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୫ଟି ରାଜ୍ୟର ବିଧାନସଭା ପାଇଁ ମୋଟ ୬୯୦ ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । କରୋନା କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ ହେବ । କରୋନା କାଳରେ ନିର୍ବାଚନ ଏକ ବଡ ଚ୍ୟାଲେଞ୍ଜ ବୋଲି କହିଛନ୍ତି ନିର୍ବାଚନ କମିଶନ୍ ।
୫ ରାଜ୍ୟର ନିର୍ବାଚନ ପ୍ରଚାର ଉପରେ ନିର୍ବାଚନ ଆୟୋଗ କଟକଣା ଲଗାଇଛନ୍ତି । ଜାନୁଆରୀ ୧୫ ଯାଏଁ ପ୍ରାର୍ଥୀ କୌଣସି ରାଲି କିମ୍ବା ରୋଡ ଶୋ କରିପାରିବେନି । ପ୍ରଚାର ବେଳେ ଶୋଭାଯାତ୍ରା ଓ ପଦଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି । ସେହିପରି ରାତି ୮ଟାରୁ ସକାଳ ୮ଟା ଯାଏଁ ନିର୍ବାଚନ ପ୍ରଚାର କରିପାରିବେନି ପ୍ରାର୍ଥୀ । ତେବୋ କରୋନା ସଂକ୍ରମଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ଭର୍ଚୁଆଲ ଓ ଡିଜିଟାଲ ମାଧ୍ୟମରେ ପ୍ରଚାର କରିବାକୁ ପରାମର୍ଶ ଦିଆଯାଇଛି । ଜାନୁଆରୀ ୧୫ ପରେ ସ୍ଥିତି ଦେଖି ଏହା ଉପରେ ବିଚାର କରାଯିବ ।
ଜାଣନ୍ତୁ କେଉଁ ରାଜ୍ୟରେ କେତେ ଆସନ ପାଇଁ ହେବ ନିର୍ବାଚନ
ଉତ୍ତରପ୍ରଦେଶ – 403 ବିଧାନସଭା ଆସନ
ଗୋଆ – 40 ବିଧାନସଭା ଆସନ
ମଣିପୁର – 60 ବିଧାନସଭା ଆସନ
ପଞ୍ଜାବ – 117 ବିଧାନସଭା ଆସନ
ଉତ୍ତରାଖଣ୍ଡ- 70 ବିଧାନସଭା |