ଭୁବନେଶ୍ୱର(ଏନଏନଏସ୍): ବସ୍ ସହ ଧକ୍କା ହେଲା ଟ୍ରେଲର । ଦୁର୍ଘଟଣାରୁ ୫୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଛତିଆ। ଆଜି ଅପରାହ୍ନ ସମୟରେ କଟକରୁ ଯାଜପୁର ଅଭିମୁଖେ ଆସୁଥିବା ଏକ ଘରୋଇ ବସ ଛତିଆ ନିକଟରେ ଏକ ଟ୍ରେଲରକୁ ଅତିକ୍ରମ କରୁଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଫଳରେ ଉଭୟ ଗାଡି ରାସ୍ତା ମଝିରେ ଥିବା ଡିଭାଇଡ଼ର ଉପରକୁ ମାଡି ଯାଇଥିଲା। ଫଳରେ ବସରେ ଥିବା ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ଖବର ପାଇ ବୈରୀ ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।