ମିଶର ମରୁଭୂମିର ମାଟି ତଳୁ ମିଳିଛି ୪୫୦୦ ବର୍ଷର ପୁରାତନ ସୂର୍ଯ୍ୟ ମନ୍ଦିର । ମିଶରର ରାଜଧାନୀ କାହିରା ଦକ୍ଷିଣକୁ ଥିବା ସହର ଆବୁ ଗୋରାବ ମରୁଭୂମିରୁ ମିଳିଛି ଏହି ପୁରାତନ ମନ୍ଦିର । କେତେକ ପ୍ରତ୍ନତତ୍ତ୍ୱବିତ୍ଙ୍କ ନିର୍ଦ୍ଦେଶକ୍ରମରେ ଏହି ସ୍ଥାନକୁ ଖୋଳାଯିବା ସମୟରେ ଅଚାନକ ଏହି ପୁରାତନ ସୂର୍ଯ୍ୟ ମନ୍ଦିର ମିଳିଥିଲା । ଏହି ମନ୍ଦିର ଗତ ୪୫୦୦ ବର୍ଷ ତଳୁ ମରୁଭୂମି ବାଲିରେ ପୋତି ହୋଇ ରହିଥିଲା । ମିଶର ପ୍ରତ୍ନତତ୍ତ୍ୱବିତ୍ଙ୍କ କହିବା ଅନୁଯାୟୀ ଏହା ଏହି ଦଶନ୍ଧିର ସବୁଠାରୁ ବଡ଼ ସନ୍ଧାନ । ମିଶରର ଫେରୋହ ଏହି ମନ୍ଦିରକୁ ନିର୍ମାଣ କରିଥିଲେ । ମିଶରରେ ଏ ପର୍ଯ୍ୟନ୍ତ ଦୁଇଟି ପ୍ରାଚୀନ ସୂର୍ଯ୍ୟ ମନ୍ଦିର ଆବିଷ୍କୃତ ହୋଇଛି । ୱାରସୋସ୍ଥିତ ଏକାଡେମୀ ଅଫ୍ ସାଇନ୍ସର ଇଜିପ୍ଟିଲୋଜିର ଆସିଷ୍ଟାଣ୍ଟ ପ୍ରଫେସର ଡା ମାସିମିଲାନୋ ନୁଜୋଲୋ କହିଛନ୍ତି ଯେ, ମିଶର ଏହିଭଳି ପ୍ରାଚୀନ ବସ୍ତୁର ସନ୍ଧାନ ପାଇଁ ବହୁତ ସମୟ ଦିଏ । ଏଥିରୁ ପୁରାତନ ମିଶରର ସଂସ୍କୃତି, ସଭ୍ୟତା ଏବଂ ସେ ସମୟର ନିର୍ମାଣକଳା ସମ୍ପର୍କରେ ସୂଚନା ଦେଇଥାଏ । ଏଥିରୁ ବହୁତ କିଛି ଶିଖିବାକୁ ମିଳିଥାଏ । ପଞ୍ଚମ ସାମ୍ରାଜ୍ୟର ଫେରୋହ ଏହି ମନ୍ଦିରକୁ ନିର୍ମାଣ କରିଥିଲେ । ଲୋକେ ସୂର୍ଯ୍ୟଙ୍କୁ ଈଶ୍ୱରଙ୍କ ସ୍ଥାନ ଦିଅନ୍ତୁ ବୋଲି ବିଶ୍ୱାସ କରି ସେ ଏହି ମନ୍ଦିର ନିର୍ମାଣ କରିଥିଲେ । ଏଥିସହିତ ଫେରୋହ ପିରାମଡ୍ ମଧ୍ୟ ନିର୍ମାଣ କରିଥିଲେ । ଯେଉଁଠି ଫେରୋହଙ୍କ ମୃତ୍ୟୁ ପରେ ତାଙ୍କୁ କବର ଦିଆଯାଇଥିଲା । ତାଙ୍କ ଚିନ୍ତାଧାରା ଥିଲା ଏଠାରେ କବର ଦିଆଗଲେ ମୃତ୍ୟୁବରଣ ପରେ ସେ ଈଶ୍ୱରଙ୍କ ରୂପ ହାସଲ କରିପାରିବେ ।