ଭୁବନେଶ୍ୱର(ଏନଏନଏସ୍): ରାଜ୍ୟରେ ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଗଣେଶ ଲାଲ । ତିନିଜଣଙ୍କୁ ବିଭାଗ ବଣ୍ଟନ କରାଯାଇଛି ।
ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥମନ୍ତ୍ରୀ ପଦ ମିଳିଛି । ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ଲଗାତର ୬ ଥର ଜିତିଥିବା ବିକ୍ରମ କେଶରୀ ଆରୁଖ ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ । ଗତ ବର୍ଷ ଜୁନ୍ ମାସରେ ମନ୍ତ୍ରିମଣ୍ଡଳର ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ । ତାଙ୍କୁ ବାଚସ୍ପତି କରାଯାଇଥିଲା । ବାଚସ୍ପତି ପଦବିରେ ଗୋଟିଏ ବର୍ଷ ନ ପୂରୁଣୁ ଗତ ୧୨ ତାରିଖରେ ସେ ଇସ୍ତଫା ଦେଇଥିଲେ ।
ସେହିପରି ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ବଣ୍ଟନ କରାଯାଇଛି । ପୂର୍ବରୁ ସମୀର ଦାଶ ଏହି ପଦରୁ ଇସ୍ତଫା ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲା ରାଜନୀତିରେ ସୁଦାମ ମାର୍ଣ୍ଡିଙ୍କ ଦବ୍ଦବା ଜୋର୍ ରହିଛି।
ଅନ୍ୟପକ୍ଷରେ ଶାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ଦିଆଯାଇଛି । ରାଉରକେଲା ବିଧାୟକ ଶାରଦା ନାୟକ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଶାରଦା ପ୍ରସାଦ ନାୟକ ୨୦୦୯ରୁ ୨୦୧୨ ଯାଏ ରାଷ୍ଟ୍ର ମନ୍ତ୍ରୀ ଥିଲେ।
କିନ୍ତୁ ନୂଆ ବାଚସ୍ପତି କିଏ ହେବ ତାକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ଉଲ୍ଲେଖ ଥାଉ କି ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଗତକାଲି ହିଁ ଏହି ତିନି ଜଣ ବରିଷ୍ଠ ବିଧାୟକ ହିଁ ମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଥିଲା।