ପୌର ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା | ଜୋରଦାର ହେବ ଲଢେଇ । ଆଜି ନାମାଙ୍କନ ଭରିବା ଶେଷ ଦିନରେ ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦର ପୌର ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରାର୍ଥୀମାନେ କରିଛନ୍ତି ନାମାଙ୍କନ ପତ୍ର ଦାଖଲ । ବିଶେଷ କରି ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ନିଜ ନିଜର ଶତାଧିକ ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରା କରି ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।
ପ୍ରଥମେ ବିଜେଡି ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଜି ସଂଜିବ ଦୋରା ୧୨ ଜଣ କାଉନସିଲର ପ୍ରାର୍ଥୀଙ୍କୁ ନେଇ ବିଶାଳ ଶୋଭାଯାତ୍ରା କରି ବାଲିମେଳା ଏନଏସି କାର୍ଯ୍ୟାଳୟଠାରେ ପହଞ୍ଚି ଥିଲେ | ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ନଗର ସଭାପତି ମଙ୍ଗଳା ପାଙ୍ଗି, ପର୍ଯ୍ୟବେକ୍ଷକ ସମୀର ସାମନ୍ତରାୟଙ୍କ ସହ ଯାଇ ନାମାଙ୍କନ ଦାଖଲ କରିଥିଲେ। ସେହିପରି ବିଜେପି ଦଳର ଅଧ୍ୟକ୍ଷ ପ୍ରାର୍ଥୀ ପ୍ରଦୀପ କୁମାର ନାୟକ ୧୨ କାଉନସିଲର ପ୍ରାର୍ଥୀଙ୍କୁ ନେଇ ବିଶାଳ ଶୋଭାଯାତ୍ରାରେ ବାହାରି ଏନଏସି କାର୍ଯ୍ୟାଳୟଠାରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ଅକ୍ଷୟ କୁମାର ବିଶ୍ଵାଳ, ବରିଷ୍ଠ ନେତା ପଦୁ ମାଝି, ଗୌର ଖିଲ, ନଗର ସଭାପତି ଶୁଭାଶିଷ କର ଉପସ୍ଥିତ ଥିଲେ |
ଜାତୀୟ କଂଗ୍ରେସ ଦଳର ଅଧ୍ୟକ୍ଷ ପ୍ରାର୍ଥୀ କପିଳା ପ୍ରଧାନଙ୍କ ସହ ନବ ନିର୍ବାଚିତ ଜିଲ୍ଲା ପରିଷଦ ମଙ୍ଗୁ ଖିଲ, ଜିଲ୍ଲା ପ୍ରବକ୍ତା ଇସାକ ଖୋସଲା, ନଗର କଂଗ୍ରେସ ସଭାପତି ସୁରେଶ ଖୋସଲାଙ୍କ ସହ ତାଙ୍କର ୧୨ କାଉନସିଲର ପ୍ରାର୍ଥୀଙ୍କୁ ନେଇ ନାମାଙ୍କନ ଦାଖଲ କରିଥିଲେ। ତେବେ ପ୍ରଥମ ଥର କରି ଆମ୍ବେଦକର ପାର୍ଟି ଅଫ ଇଣ୍ଡିଆର ଅଧ୍ୟକ୍ଷ ଭାବେ ଦେବେନ୍ଦ୍ର ଖରା ତାଙ୍କର କାଉନସିଲର ପ୍ରାର୍ଥୀମାନଙ୍କୁ ନେଇ ନାମାଙ୍କନ ଦାଖଲ କରିଥିଲେ। ତେବେ ଦଳଗତ ନିର୍ବିଶେଷରେ ଅଧ୍ୟକ୍ଷ ପଦ ନିମନ୍ତେ ସ୍ୱାଧୀନ ପ୍ରାର୍ଥୀ ଭାବେ ସାମ୍ବାଦିକ ଯଦୁପତି ମହାନ୍ତି, ବାବୁଲା ଜେନା, ଯୋଗେନ୍ଦ୍ର କୁମାର ଯାନୀ ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି। ସେହିଭଳି ବିଭିନ୍ନ ୱାର୍ଡର କାଉନସିଲର ପଦ ନିମନ୍ତେ କେତେଜଣ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ମାଲକାନଗିରି ପର୍ଯ୍ୟବେକ୍ଷକ ରଘୁମଣି ଗମାଙ୍ଗ ପରିଦର୍ଶନରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। କଡା ସୁରକ୍ଷା ମଧ୍ୟରେ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶାନ୍ତିଶୃଙ୍ଖଳାର ସହ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା।