ଏନଏନଏସ୍: ପ୍ରବଳ ବର୍ଷା ପରେ ବେହାଲ ହେଲା ସିକିମ ସ୍ଥିତି । ଏନେଇ ଉତ୍ତର ସିକିମରେ ଫସି ରହିଛନ୍ତି ପ୍ରାୟ ଅଢେଇ ହଜାର ପର୍ୟ୍ୟଟକ। ରାଜ୍ୟରେ ମୌସୁମୀଜନିତ ପ୍ରବଳ ବର୍ଷାରେ ବନ୍ୟା ଆସି ଉତ୍ତର ସିକିମର ଚୁଙ୍ଗଥାଙ୍ଗ ଠାରେ ରାସ୍ତା ଧୋଇଯାଇଛି। ଫଳରେ ୨ହଜାର ୪୭୫ ପର୍ୟ୍ୟଟକ ଫସି ରହିଛନ୍ତି। ଗତ ରାତି ଠାରୁ ଏମାନେ ଫସି ରହିଥିବା ବେଳେ ଉଦ୍ଧାର କାର୍ୟ୍ୟ ଜାରି ରହିଛି।
ଅନ୍ୟପଟେ ଫସି ରହିଥିବା ଅଞ୍ଚଳରୁ ପର୍ୟ୍ୟଟକଙ୍କୁ ଉଦ୍ଧାର କରିବାକୁ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ୩ଶହ ଜଣଙ୍କୁ ଉଦ୍ଧାର କରାଯାଇଛି । ସେପଟେ ରାତିତମାମ ସିକିମରେ ବର୍ଷା ଲାଗି ରହିବା ସହ ସିଙ୍ଗଟାମ୍ ଓ ରଙ୍ଗରାମ ଠାରେ ଭୁସ୍ଖଳନ ଘଟି ଯୋଗାଯୋଗ ବ୍ୟାହତ ହୋଇଛି।