କଥାରେ ଅଛି ଓଡ଼ିଆ ଘରେ ବାର ମାସରେ ତେର ପର୍ବ ପାଳନ ହୁଏ | ସେହିଭଳି ଏକ ପୁରୁଣା ପରମ୍ପରା ହେଲା ଦୋଳ ମେଲଣ | ଦୋଳ ମେଳଣରେ ଆଖପାଖ ଅଞ୍ଚଳରୁ ବିମାନରେ ଠାକୁରମାନେ ଆସି ହୋଇଥାନ୍ତି ଏକାଠି | ମେଲଣ ପଡିଆରେ ସବୁ ଠାକୁରଙ୍କୁ ଲାଗି କରାଯାଇଥାଏ ବିଭିର୍ନ ପ୍ରକାର ଭୋଗ | ପରେ ଠାକୁରଙ୍କ ସହ ଭକ୍ତମାନେ ମଧ୍ୟ ଅବିରରେ ଖେଳିଥାନ୍ତି ହୋଲି | ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସୁଛି | ତେବେ ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ଓଡ଼ିଶାର ସବୁଠୁ ପୁରାତନ ମେଳଣ ସମ୍ପର୍କରେ | କେନ୍ଦ୍ରାପଡା ଜିଲ୍ଲାର ଅନନ୍ୟ ମେଲଣ ହେଲା ବାଲିଆ ମେଲଣ | ଥାଟବାଟ ରଙ୍ଗ ରୋଷଣୀରେ ବିଭିର୍ନ ସ୍ଥାନରୁ ଏଠାକୁ ଆସିଥାନ୍ତି ଶତାଧିକ ବିମାନ | ବାଜାବାଣ ରୋସଣୀ ଏବଂ ରଙ୍ଗ ବେରଙ୍ଗ ଆତସବାଜୀରେ କମ୍ପି ଉଠେ ମେଲଣ ପଡିଆ |
ଓଡ଼ିଶାର ବିଭିର୍ନ ସ୍ଥାନରେ ଦୋଳ ମେଲଣ ପାଳିତ ହେଉଥିବା ବେଳେ ବାଲିଆ ମେଲଣ ବେଶ ନିଆରା | 40 କି 5 0 ବର୍ଷ ନୁହେଁ ୨୪୭ ବର୍ଷ ପୂର୍ବରୁ ଏଠାରେ ଆୟୋଜିତ ହେଉଛି ଦୋଳ ମେଲଣ | 1869 ମସିହାରେ ଯେତେବେଳେ କେନ୍ଦ୍ରାପଡା ସହର ପୌରପାଳିକାର ମାନ୍ୟତା ପାଇଥିଲା ତା ପୂର୍ବରୁ ଅନୁଷ୍ଠିତ ହୋଇଆସୁଛି ଏହି ଦୋଳ ମେଲଣ | ବାଲିଆର କାନୁନଗୋ ଜମିଦାର ବଂଶ ପ୍ରଥମେ ଆରମ୍ଭ କରିଥିଲେ ଏହି ମେଲଣ ଉତ୍ସବ | ତେବେ ଏହା ଓଡି଼ଶାର ସବୁଠୁ ପୁରାତନ ଦୋଳ ମେଲଣ ବୋଲି କୁହନ୍ତି ସ୍ଥାନୀୟ ଲୋକେ | ପ୍ରାୟ ୨୪୭ ବର୍ଷ ପୂର୍ବରୁ ଏହି ମେଳଣ ଆରମ୍ଭ ହୋଇଥିବା କୁହନ୍ତି କାନୁନଗୋ ପରିବାର | ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ମେଳଣ ଅନୁଷ୍ଠିତ ହୋଇଆସୁଛି । ପିଢ଼ି ପରେ ପିଢ଼ି ଭାବେ ଏହି ମେଲଣ ଦାୟିତ୍ୱ ସେମାନେ ତୁଲାଇ ଆସୁଛନ୍ତି । ଜିଲ୍ଲାର ପ୍ରସିଦ୍ଧ ବାଲିଆ ମେଲଣ ଚଳିତ ବର୍ଷ ୨୪୭ ବର୍ଷରେ ପଦାର୍ପଣ କରିଛି | ଗତ ୨ ବର୍ଷ ହେଲା ମହାମାରୀ କରୋନା କଟକଣା ଯୋଗୁ ବନ୍ଦ ଥିବା ବେଳେ ଏଥର ବହୁ ଜାକଜମକରେ ଅନୁଷ୍ଠିତ ହୋଇଛି ବାଲିଆ ମେଲଣ | ବାଜାବାଣ ରୋସଣୀରେ କମ୍ପି ଉଠିଛି ମେଲଣ ପଡିଆ | ପ୍ରାୟ ୬୪ଟି ମେଢ ଏଠାରେ ହୋଇଥିଲେ ଏକାଠି | ସବୁ ଠାକୁର ଆସିବା ପରେ ଲାଗି କରାଯାଇଥିଲା ଭୋଗ । ମେଳଣର ମୁଖ୍ୟ ଆକର୍ଷଣ ସାଜିଥିଲା ବାଲିପାଟଣାର ଲଛମନଜୀୟୁଙ୍କ ଦୋଳ ବିମାନ । ମେଲଣ ଦେଖିବାକୁ ଗତକାଲି ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା | ରାସ୍ତାରେ ଦୋଳ ବିମାନ ଓ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଯୋଗୁ କଟକ-ଚାନ୍ଦବାଲି ରାସ୍ତାର ବାଲିଆ ଛକ ନିକଟରେ ରାସ୍ତା ଜାମ ହୋଇଯାଇଥିଲା । ପ୍ରାୟ ୫ଘଣ୍ଟା ପର୍ଯ୍ୟନ୍ତ ଗାଡିମଟର ଚଳାଚଳ ଠପ୍ ହୋଇଯାଇଥିଲା । ଲୋକାରଣ୍ୟ ହୋଇପଡି ଥିଲା ମେଲଣ ପଡିଆ । ଏଥିସହିତ ମେଲଣ ପଡିଆରେ ଲାଗିଥିବା ମୀନାବଜାର ମହିଳା ଏବଂ ଛୋଟ ଛୋଟ ପିଲାଙ୍କୁ ଯୋଗାଇଥିଲା ମନୋରଞ୍ଜନର ଖୋରାକ | ଛୋଟ ଛୋଟ ବ୍ୟବସାୟୀମାନେ ମେଲାଇ ଦେଇଥିଲେ ସେମାନଙ୍କ ପସରା | ପ୍ରବଳ ଜନଗହଳିକୁ ଦେଖି କେନ୍ଦ୍ରାପଡା ସଦର ଥାନା ପୋଲିସ ଏଠାରେ ଏକ ଅସ୍ଥାୟୀ ଫାଣ୍ଡି କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ |