୧୯ତମ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମର ଦବଦବା ଜାରି । ଆଜି ଗୁରୁତ୍ୱପୂର୍ଣ୍ଣ ସେମିଫାନାଲରେ ଦଳ ଦକ୍ଷିଣ କୋରିଆକୁ ୫-୩ରେ ହରାଇ ଫାଇନାଲ ଟିକେଟ ହାତେଇଛି।ଉତ୍କଣ୍ଠାପୂର୍ଣ୍ଣ ସେମିରେ ଓଡ଼ିଆ ପୁଅ ଅମିତ ରୋହିଦାସ ମଧ୍ୟ ଗୋଟିଏ ଗୋଲ ସ୍କୋର କରିଛନ୍ତି।
ଭାରତ ୩-୦ରେ ଆଗରେ ଥିବା ବେଳେ ୧୭ତମ ମିନିଟରେ କୋରିଆକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଲି ଜୁଙ୍ଗଜୁନ ଗୋଲରେ ପରିଣିତ କରି ବ୍ୟବଧାନକୁ ୩-୧ କରିଥିଲେ। ୨୦ତମ ମିନିଟରେ କୋରିଆ ପାଇଁ ଜୁଙ୍ଗ ମାନଜେ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ସ୍ଥିତି ୩-୨ ହୋଇଯାଇଥିଲା।
ଭାରତ କାଉଣ୍ଟର ଆଟାକ କରିବା ସହ ୨୪ତମ ମିନିଟରେ ପିସି ଆଦାୟ କରିଥିଲା। ଏହାକୁ ଓଡ଼ିଆ ପୁଅ ଅମିତ ରୋହିଦାସ ଗୋଲରେ ପରିଣତ କରି ହାଫଟାଇମ ସୁଦ୍ଧା ଭାରତକୁ ୪-୨ରେ ଆଗୁଆ କରି ଦେଇଥିଲେ। ହାଫଟାଇମ ପରେ ଭାରତ ଅପେକ୍ଷା କୋରିଆ ଆଟାକିଂ ଖେଳ ଖେଳିଥିଲା।
୪୨ତମ ମିନିଟରେ ଦଳକୁ ମିଳିଥିବା ପିସିକୁ ଜାଙ୍ଗ ଗୋଲରେ ପରିଣତ କରି ମ୍ୟାଚ୍ରେ ରୋମାଞ୍ଚ ଭରି ଦେଇଥିଲେ। ୪-୩ରେ କୋରିଆ ପଛରେ ଥିଲେ ହେଁ ଆଟାକ କରିବାକୁ ପଛାଇ ନଥିଲା। କିନ୍ତୁ ଭାରତୀୟ ଡିଫେଣ୍ଡ ଲାଇନକୁ ଭେଦ କରିବା ଦଳ ପାଇଁ ସହଜ ନଥିଲା। ଶେଷ କ୍ୱାର୍ଟରରେ ଦୁଇ ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଥିଲା।
ଶେଷରେ ଭାରତ ଏହି ମ୍ୟାଚ୍କୁ ୫-୩ରେ ଜିତି ଫାଇନାଲ ଟିକେଟ ହାସଲ କରିଛି। ଦ୍ୱିତୀୟ ସେମିରେ ଜାପାନ ଓ ଚାଇନା ମଧ୍ୟରେ ଲଢ଼େଇ ହେବ। ଏହି ମ୍ୟାଚ୍ ଯେଉଁ ଦେଶ ଜିତିବ, ସେ ଭାରତ ସହ ସ୍ୱର୍ଣ୍ଣ ପାଇଁ ଲଢ଼େଇ କରିବ।