ଆଉ କେଇ ଘଣ୍ଟା ମଧ୍ୟରେ ପୃଥିବୀ ପୃଷ୍ଠରୁ ବିଦାୟ ନେବ ବର୍ଷ 2021 । ନୂଆ ଉନ୍ମାଦନା, ନୂଆ ସମ୍ଭାବନା ସହ ବିଶ୍ବବାସୀଙ୍କ ପାଇଁ ଓହ୍ଲାଇ ଆସିବ ନବବର୍ଷ 2022। ବର୍ଷ ୨୦୨୧ ହସେଇଛି କମ୍ କନ୍ଦେଇଛି ବେଶୀ । ଏହି ବର୍ଷ ଯେତିକି ଭଲ ଥିଲା ତାଠୁ ଅଧିକ ଦୁଃଖ ଦେଇଥିଲା । ଚଳିତ ବର୍ଷ ଅନେକ ମହାନ ବ୍ୟକ୍ତିତ୍ବଙ୍କୁ ହରାଇଛୁ । ସେବା, କ୍ରୀଡା ଓ କଳାଜଗତରେ ଖ୍ୟାତି ଅର୍ଜନ କରିଥିବା କିମ୍ବଦନ୍ତୀ ଅଫେରା ରାଇଜକୁ ଚାଲିଯାଇଛନ୍ତି ଆଉ ଛାଡି ଯାଇଛନ୍ତି ତାଙ୍କ କୀର୍ତ୍ତିରାଜି। ସେହପରି କିଛି ବ୍ୟକ୍ତିତ୍ବଙ୍କୁ ନେଇ ଆମର ଏହି ସ୍ବତନ୍ତ୍ର ରିପୋର୍ଟ ରହିଗଲା ସ୍ମୃତି ଛାପ…
ବହୁ ଚର୍ଚ୍ଚିତ ସିଡିଏସ ବିପିନ ରାୱତ
ଡିସେମ୍ବର ୮ ତାରିଖ ୨୦୨୧ ଲିଭିଯାଇଥିଲା ଦୀପଶିଖା । ସମସ୍ତଙ୍କ ମୁହଁରେ ଗୋଟିଏ ଶବ୍ଦ ଏ କଣ ହେଇଗଲା ??…ତାମିଲନାଡୁ କୁନ୍ନୁରରେ ଦୁର୍ଘଟଣାଗସ୍ତ ହୁଏ ବାୟୁସେନା ହେଲିକପ୍ଟର MI17V5 । ଯେଉଁ ଥିରେ ଥିଲେ ଦେଶର ପ୍ରଥମ ସିଡିଏସ ବିପିନ ରାୱତ । ଗୋର୍ଖା ରାଇଫଲ, ତିନି ସେନାମୁଖ୍ୟ ବିପିନ ରାୱତଙ୍କ ନିଧନ ଖବର ଦେଶକୁ ଦୋହଲାଇ ଦେଇଥିଲା । ଅଘଟଣରେ ସିଡିଏସ ଜେନେରାଲ ରାଓ୍ବତ, ପତ୍ନୀ ମଧୁଲିକାଙ୍କ ସମେତ ମୋଟ ୧୪ଜଣ ପ୍ରାଣ ହରାଇଥିଲେ ।
ଆଉ ଜଣେ ଓଡିଆ କଥା ସାହିତ୍ୟର ବିଶ୍ବକର୍ମା ମନୋଜ ଦାସ । ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସ ଏପ୍ରିଲ ୨୭ରେ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ । ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ମନୋଜଙ୍କ ଦେହାନ୍ତ ହୋଇଥିଲା । କାଳଜୟୀ ଲେଖା ପାଇଁ ୨୦୦୦ ମସିହାରେ ସରସ୍ବତୀ ସମ୍ମାନ ପାଇଥିବାବେଳେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମବିଭୂଷଣ ଉପାଧି ପାଇଥିଲେ । ଏଥି ସହିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଦେଶ ବିଦେଶରୁ ବହୁ ପୁରସ୍କାର ମଧ୍ୟ ତାଙ୍କୁ ମିଳିଥିଲା । ଦେଶର ବିଭିନ୍ନ ଅଞ୍ଚଳରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସ୍ଥାପନ କ୍ଷେତ୍ରରେ ତାଙ୍କର ଅନବଦ୍ୟ ଅବଦାନ ରହିଥିଲା ।
ସେହିପରି ୧୦୪ ବର୍ଷ ବୟସରେ ପଦ୍ମଶ୍ରୀ ଅବଧାନେ ନନ୍ଦ ପୃଷ୍ଟି ଅଫେରା ରାଇଜକୁ ଚାଲିଯାଇଥିଲେ । କୋରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନନ୍ଦ ସାର । ୧୦୪ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଡିସେମ୍ବର ୭ ତାରିଖରେ ଆଖି ବୁଜିଥିଲେ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି ।
ଆଉ ଏସିଆନ ଗୋଲ୍ଡ ମେଡାଲିଷ୍ଟ ମିଲଖା ସିଂହ । କୋରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । କମନୱେଲଥ ଗେମ୍ସରେ ସ୍ବର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ଫିଲ୍ଡ ଆଥଲେଟ୍ ଥିଲେ ମିଲଖା । ଜୁନ ୧୯ରେ ଫ୍ଲାଇଂ ଶିଖ୍ ମିଲଖାଙ୍କର ବିୟୋଗ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା ।
ଏହାରି ଭିତରେ ପଦ୍ମଶ୍ରୀ ସମ୍ମାନିତ ସମାଜସେବୀ ଡି ପ୍ରକାଶ ରାଓ ଜାନୁଆରା ୧୩ ତାରିଖରେ ଦୁନିଆରୁ ବିଦାୟ ନେଇଥିଲେ । କିଡନୀ ଜନିତ ରୋଗରେ ମଧ୍ୟରେ ପୀଡିତ ଥିଲେ । ବ୍ରେନ ଷ୍ଟୋକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ପେଶାରେ ସେ ଜଣେ ଚା’ ବିକାଳି । କଟକ ବକ୍ସି ବଜାରରେ ରହିଛି ତାଙ୍କ ଚା’ ଦୋକାନ । କଟକର ଏକ ଖବରକାଗଜ ସଂସ୍ଥାରେ କାର୍ଯ୍ୟ କରିଥିଲେ ପ୍ରକାଶ । ସେଠାରୁ ଚାକିରୀ ହରାଇବା ପରେ ସେ ନିଜର ଏକ ଚା’ ଦୋକାନ ଆରମ୍ଭ କରିଥିଲେ ।
ମେ ୯ ୨୦୨୧ । ସେଦିନ ସନ୍ଧ୍ୟାରେ ସମସ୍ତେ ନିରବି ଯାଇଥିଲେ । କାରଣ ସବୁଦିନ ପାଇଁ ନୀରବିଗଲା ନିହାଣ । ନିଶବ୍ଦ ହୋଇଗଲା ହାତୁଡିର ଠକ୍ ଠକ୍ ଶବ୍ଧ । ପରିକଳ୍ପନାରେ ପଡିଗଲା ପୂର୍ଣ୍ଣଛେଦ । ଆଉ ଅଧାରେ ରହିଗଲା ସ୍ବପ୍ନ । ସ୍ବପ୍ନ ଯାହା ଦିନେ ଆଗାମୀ ପିଢି ପାଇଁ ବଞ୍ଚାଇ ରଖିଥାନ୍ତା ଉତ୍କଳୀୟ କଳା ଭାସ୍କର୍ଯ୍ୟର ଅନନ୍ୟ ନିଦର୍ଶନ ବହନ କରୁଥିବା କୋଣାର୍କର ଅସ୍ତିତ୍ବ । ଉଦ୍ଭାସିତ ହୋଇଥାନ୍ତା ଅବିକଳ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଏବଂ ପୂର୍ବପୁରୁଷଙ୍କ କଳାନୈପୁଣ୍ୟ । ସ୍ବପ୍ନ ସାକାର ହେବା ପୂର୍ବରୁ ଆରପାରିକୁ ଚାଲିଯାଇଥିଲେ ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ।
ଆଉ ଜଣେ ବିଶିଷ୍ଟ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୁନ ୧୯ରେ ଆଖି ବୁଜିଥିଲେ ଦେବାଶିଷ । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା । ଦେବାଶିଷ କେବଳ ଯେ ଜଣେ ଦକ୍ଷ ପୋଲିସ ଅଫିସର ନଥିଲେ ତାଙ୍କର ଭାଷା, ସାହିତ୍ୟ ଓ ସଙ୍ଗୀତ ପ୍ରତି ଅନେକ ଅବଦାନ ଥିଲା । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ।
ଆଉ ଜଣେ ଓଡ଼ିଶାର ଟାଇଗର ଯିଏକି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କର ଚଳିତ ବର୍ଷ ଡିସେମ୍ବର ୨୪ରେ ପରଲୋକ ହୋଇଛି । ମୃତ୍ୟୁବେଳକୁ ରାମକୃଷ୍ଣଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଗଞ୍ଜାମ ଜିଲ୍ଲାର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ ରାମକୃଷ୍ଣ । ଗଞ୍ଜାମର କୋଦଳା ନିର୍ବାଚନ ମଣ୍ଡଳୀରୁ ୬ ଥର ନିର୍ବାଚିତ ହୋଇଥିଲେ ।
ଲୋକପ୍ରିୟ ଟିଭି ଷ୍ଟାର ସିଦ୍ଧାର୍ଥ ଶୁକ୍ଳାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଥିଲା । ବହୁତ ଆଗକୁ ଯିବାକୁ ଥିଲା ହେଲେ ସବୁ ସ୍ବପ୍ନରେ ରହିଗଲା । ହୃଦଘାତ ଯୋଗୁଁ ସପ୍ଟେମ୍ବର ୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଗ୍ ବସ-୧୩ର ବିଜେତା ସିଦ୍ଧାର୍ଥ ନିଜର ଚାର୍ମିଙ୍ଗ ଲୁକ ପାଇଁ ଯୁବପିଢିଙ୍କ ଆଇକନ ଥିଲେ । ମାତ୍ର ୪୨ ବର୍ଷରେ ଦୁନିଆରୁ ବିଦାୟ ନେଇଥିଲେ ଏହି ଅଭିନେତା ।
ଆଉ ଗୋପାଳ ରହସ୍ୟ କଥା ମନେ ପଡିଲେ ମନକୁ ଆସିଯାଏ ଅଭିନେତା ରବି ମିଶ୍ରଙ୍କ କଥା । ଫିଲ୍ମ, ସିରିଏଲ ଓ ମଞ୍ଚରେ ତାଙ୍କ ଅଭିନୟ ଜୀବନ୍ତ ହୋଇପଡେ । ଟେଲି ସିରିଏଲ ‘ଗୋପାଳ ରହସ୍ୟ’ ପାଇଁ ରବି ମିଶ୍ର ବେଶ ପ୍ରଶଂସା ସାଉଁଟିଥିଲେ । ଓଡିଶାର ପ୍ରତିଟି ଘରର ପାଇଁ ସେ ଏକ ଚିହ୍ନା ମୁହଁ ପାଲଟିଥିଲେ । ‘ହେ ପ୍ରଭୁ’ ସିରିଏଲରେ ହୃଦଘାତର ଅଭିନୟ କରୁ କରୁ ସତରେ ତାଙ୍କୁ ହୃଦଘାତ ଆସିଥିଲା । ଜାନୁଆରୀ ୨୦ରେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଥିଲେ ଏହି ଅଭିନେତା ।
ଲୋକଙ୍କୁ ହସାଇ ହସାଇ ବେଦମ କରୁଥିବା କଳାକାରଟି ହେଲେ ଜଗନ୍ନାଥ ରାଉତ । ପୁରୀ ନିମାପଡାର ପ୍ରସିଦ୍ଧା ଯାତ୍ରା କମେଡିଆନ ଜଗନ୍ନାଥ ୬୨ ବର୍ଷ ଧରି ଅଭିନୟ ସହ ଜଡିତ ଥିଲେ । ୩୫ ବର୍ଷ ବୟସରେ ଯାତ୍ରା ଦୁନିଆରେ ଯୋଗ ଦେଇଥିଲେ । କୋରୋନାରେ ଆକ୍ରାନ୍ତ ହୋଇ ଏପ୍ରିଲ ୨୭ରେ ଦୁନିଆରୁ ବିଦାୟ ନେଇଥିଲେ ଏହି କଳାକାର ।
ସେଦିନର ସେ ନିଶବ୍ଦ ରାତି ଆଜି ବି ମନେପଡ଼ିଲେ ଆଖି ଛଳ ଛଳ ହୋଇଯାଉଚି। ତପୁଙ୍କ କଣ୍ଠ ସ୍ବର ସବୁ ଓଡ଼ିଆଙ୍କୁ ମତୁଆଲା କରିଥିଲା । ଓଡିଆ ପପୁଲାର ପ୍ଲେ ବ୍ୟାକ ସିଙ୍ଗର ଭାବେ ବେଶ ନାଁ କରିଥିଲେ ତପୁ । ସଞ୍ଜ ନଇଁ ଯିବ ଗୀତ ପାଇଁ ସେ ଅଧିକ ପ୍ରସିଦ୍ଧି ଲାଭ କରିଥିଲେ । କରୋନାରେ ଆକ୍ରାନ୍ତ ପରେ ଜୁନ ୧୯ରେ ଆଖିବୁଜିଥିଲେ ତପୁ। ଖୁବ କମ ବୟସ ମାତ୍ର ୩୬ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଥିଲେ ଏହି କଣ୍ଠଶିଳ୍ପୀ ।
ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣରେ ରାବଣ ଚରିତ୍ରରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କର ଚଳିତ ବର୍ଷ ପରଲୋକ ହୋଇଛି । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଅରବିନ୍ଦ ୮୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଅକ୍ଟୋବର ୬ ତାରିଖରେ ଏହି ଅଭିନେତା ଦୁନିଆରୁ ବିଦାୟ ନେଇଥିଲେ
ବରିଷ୍ଠ ଅଭିନେତା ଅନୁପମ ଶ୍ୟାମ । ସବୁ ଚରିତ୍ରରେ ନିଜର ନିଖୁଣ ଅଭିନୟ ଦେଖାଇଥିଲେ ଅନୁପମ । ଟିଭି ସିରିଏଲ ପ୍ରତିଜ୍ଞାରେ ସଜନ ସିଂ ଠାକୁର ଭାବରେ ପରିଚିତ ହୋଇଥିଲେ ଅନୁପମ । ଅଗଷ୍ଟ ୯ ତାରିଖରେ ଦୁନିଆକୁ ଅଲବିଦା କହିଥିଲେ ଏହି କଳାକାର ।
ନୁଆ ବର୍ଷରେ ପାଦ ଦେବା ପୂର୍ବରୁ ଅବସାନ ଘଟିବାକୁ ଯାଉଚି ୨୦୨୧ ର। ବିଶ୍ଵ ବ୍ରହ୍ମାଙ୍କ ଅପାର କୃପାରୁ ୨୦୨୨ ସକଳ ବିଶ୍ଵ ପାଇଁ ଏକ ଖୁସିର ସମ୍ଭାର ନେଇଆସୁ..
ବ୍ୟୁରୋ ରିପୋର୍ଟ୍ nns ଓଡ଼ିଆ